ଦାମଙ୍କ ଉପରୁ ବହିଷ୍କାର ହଟିଲା

ଭୁବନେଶ୍ୱର,୧ା୧: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂୂଆବର୍ଷରେ ଏହି ନୂଆ ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ସେ ବିଜେଡି ଛାଡ଼ିଥିଲେ। ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ।  ୨୦୧୯ ନିର୍ବାଚନରେ ସେ ଭାଜପା  ଟିକେଟରେ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ସେହି ବର୍ଷ ଅକ୍ଟୋବରରେ ସେ ଭାଜପାରୁ ଇସ୍ତଫା ଦେଇଥିଲେ। ଦୀର୍ଘଦିନ ଧରି ଦାମ ବିଜେଡିରେ ରହିଥିଲେ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି, ବହିଷ୍କାର ଆଦେଶ ଉଠାଇଥିବା ଯୋଗୁ ପୁଅ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ବାପାଙ୍କ ଦେହ ଖରାପ ଥିବାରୁ ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ବିଜେଡିରୁ ଦୂରେଇ ରହିବା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଏହି ଖବର ତାଙ୍କୁ ଖୁସି ଦେବ ବୋଲି ସମ୍ବିତ କହିଛନ୍ତି। ତାଙ୍କର ଗୋଟିଏ ଇଚ୍ଛା ଥିଲା ଯେ, ସେ ମୃତ୍ୟୁ ପର୍ଯ୍ୟନ୍ତ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସେବା କରିବେ। ତାହା ପୂରଣ ହୋଇଛି। ସୁସ୍ଥ ହେଲେ ସେ ଆଗାମୀ ଦିନରେ ଜଗତସିଂହପୁରର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଧ୍ୟ କରିବେ ବୋଲି ସେ କହିଛନ୍ତି।

Share