ଅଭିଯୋଗ ଆବେଦନ ସମୟସୀମା ୩୦ରୁ ୯୦ ଦିନକୁ ବୃଦ୍ଧି

ଭୁବନେଶ୍ବର, ୧୪।୬(ସୁନୀତ୍‌ ମିଶ୍ର ): କାଳିଆ ହିତାଧିକାରୀଙ୍କ ହିତକୁ ଦୃଷ୍ଟିରେ ରଖି କାଳିଆ ସହାୟତା ଅନ୍‌ଲାଇନ୍‌ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରାଯିବା ସହିତ ସମୟସୀମାକୁ ବୃଦ୍ଧି କରାଯାଇଛି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁମୋଦନ କ୍ରମେ ଏ ସମ୍ପର୍କିତ ସଂଶୋଧିତ ଆଦେଶନାମା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାରି କରାଯାଇଛି। ସଂଶୋଧିତ ଆଦେଶନାମାରେ ୨୦୨୧ ମେ ୫ ତାରିଖରେ ଜାରି କରାଯାଇଥିବା ଆଦେଶନାମାକୁ ସଂଶୋଧନ କରାଯାଇଛି। ହିତାଧିକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଏହି ପୋର୍ଟାଲ ପୂର୍ବରୁ ୩୦ ଦିନ ପରିବର୍ତ୍ତେ ୯୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ। ଏହାସହ ଅଭିଯୋଗଗୁଡ଼ିକୁ ୪୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରରେ ଯାଞ୍ଚ କରାଯିବ ା ସୂଚନାଯୋଗ୍ୟ, ୨୦୨୩ ଏପ୍ରିଲ ୧ ଏବଂ ମେ ୨୩ ତାରିଖରେ ହିତାଧିକାରୀ ଚାଷୀଙ୍କୁ ଖରିଫ ୨୦୨୩ ନିମନ୍ତେ ପ୍ରଦାନ କରାଯାଇଥିବା କାଳିଆ ସହାୟତା ପାଇଁ ଏହି ଆଦେଶନାମା ଜାରି ହେବା ସଙ୍ଗେସଙ୍ଗେ ପୋର୍ଟାଲ ଖୋଲାଯିବ। ପରବର୍ତ୍ତୀ ପର୍ଯ୍ୟାୟ କାଳିଆ ସହାୟତା ପ୍ରଦାନକୁ ଦୃଷ୍ଟିରେ ରଖି ଏହା ୨୦୨୩ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଖୋଲାରହିବ ା

Share