କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗପୀଢ଼ ବନାଞ୍ଚଳ ତଥା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଆମ୍ବଡ଼ହରା ଗ୍ରାମ ନିକଟରେ କଫି ଚାଷ ପାଇଁ ବହୁ ପରିମାଣରେ ଜଙ୍ଗଲ ଓ ପରିବେଶ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ସରକାରୀ ସଂସ୍ଥା ପକ୍ଷରୁ ବିନା ଅନୁମତିରେ ବହୁ ସଂଖ୍ୟକ ମୂଲ୍ୟବାନ ଗଛକୁ ମେଶିିନ ଲଗାଇ କାଟାଯାଇଛି। ପରେ ସେସବୁକୁ ରାତାରାତି ମାଟିରେ ପୋତି ସମତୁଲ କରି ପ୍ରମାଣ ନଷ୍ଟ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ବିଜୟ ମହାନ୍ତ ସୂଚନା ପାଇବା ପରେ ଖୋଳତାଡ ଆରମ୍ଭ କରିଛନ୍ତି।
ଯେ, କଫି ବୋର୍ଡ ପକ୍ଷରୁ ୨୦ ହେକ୍ଟର ଜମିରେ କଫି ଚାଷ ପାଇଁ କାମ ଆରମ୍ଭ ହୋଇଛି। ଜଳଛାୟା କମିଟି ଜରିଆରେ ଏହି କାମ ଚାଲିଛି। ଚାରିପାଖ ଟ୍ରେଞ୍ଜ୍ ଖୋଳାଯିବା ସହ ମେଶିନରେ ଜମିକୁ ସମତୁଲ କରି କାମ କରାଯାଉଛି। ବ୍ୟାପକ ଶାଳ ସମେତ ମୂଲ୍ୟବାନ ଗଛ କଟା ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବନାଞ୍ଚଳ ଅଧିକାରୀ କାମ ବନ୍ଦ କରାଯାଇ ତତସମ୍ପର୍କିତ କାଗଜପତ୍ର ଓ ଅନୁମତିପତ୍ର ମାଗିଛନ୍ତି। ଉତ୍ତର ମିଳିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ସେ କହିଛନ୍ତି। କେନ୍ଦୁଝର ଜଳଛାୟା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ ପ୍ରଦୀପ ରାଉତ କହିଛନ୍ତି, ତାଙ୍କର କିଛି ଭୁଲ ନାହିଁ। ଜଙ୍ଗଲ ବାହାରେ କାମ ହେଉଛି। କୌଣସି ଗଛ କଟାଯାଇନାହିଁ। କେବଳ ବୁଦା ସଫା କରାଯାଇଛି। ଏ ନେଇ ପୂର୍ବରୁ ବନ ବିଭାଗକୁ ଚିଠି କରାଯାଇଛି। ବନଖଣ୍ଡ ଅଧିକାରୀ ତଥା ପୂର୍ବ ବନାଞ୍ଚଳ ଅଧିକାରୀଙ୍କୁ ଚିଠି ଦେବା ପରେ ସେମାନଙ୍କ କହିବାନୁଯାୟୀ କାମ କରାଯାଉଛି ବୋଲି ସେ କହିଥିଲେ।