ଭୁବନେଶ୍ୱର, ୧୫।୩ – ଆସନ୍ତା ୨୧ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଲାଗି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତରିକ୍ତ ସଚିବ ଓ ଡିଜିପିଙ୍କୁ ନେଇ ସୋମବାର ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆରଟି-ପିସିଆର ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି। ରାଷ୍ଟ୍ରପତି କୋବିନ୍ଦ ୨୧ ତାରିଖରେ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ରାଉରକେଲା ଇସ୍ପାତ କାରଖାନା ସୁପର ସ୍ପେଶାଲିଟି ମେଡିକାଲ ଉଦ୍ଘାଟନ କରିବେ। ୨୨ ତାରିଖରେ ପୁରୀ ଯାଇ ଶ୍ରୀ ଜିଉଙ୍କ ଦର୍ଶନ କରିବେ ଓ ପରେ କୋଣାର୍କ ଯିବେ। ନିର୍ଦ୍ଧାରିତ ପ୍ରୋଟୋକଲ ଓ ଏସ୍ଓପି ଅନୁସାରେ ସବୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ।