Categories: ବାଣିଜ୍ୟ

ବେଦାନ୍ତ ପକ୍ଷରୁ ବ୍ୟାପକ ସହାୟତା

ଭୁବନେଶ୍ୱର ,୫।୬: ବେଦାନ୍ତ ଆଲୁମିନିୟମର ସହଯୋଗୀ କମ୍ପାନୀ ବେଦାନ୍ତ ଫେକର ପକ୍ଷରୁ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ସହିତ ବେଦାନ୍ତ ଆଲୁମିନିୟମ ସବୁ ବର୍ଗର ଲୋକଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସହାୟତା ପ୍ରଦାନ ସହ ଆବଶ୍ୟକ ସେବା ମଧ୍ୟ ଯୋଗାଇ ଦେଉଛି। ଏପରିକି ବେଦାନ୍ତ ଫେକରର ଏକ ବିଶେଷଜ୍ଞ ଦଳ ଓ ଜରୁରିକାଳୀନ ସହାୟତା ପରିଚାଳନା ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଥିଲେ। ସେହିଭଳି ବିପର୍ଯ୍ୟୟ ପରିଚାଳନା ଓ ଜରୁରିକାଳୀନ ପରିସ୍ଥିତିରେ ତାଲିମପ୍ରାପ୍ତ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ କମ୍ପାନୀର ସୁରକ୍ଷା ଦଳର ବିଶେଷଜ୍ଞମାନେ ତୁରନ୍ତ ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ। ଏପରିକି କ୍ଷତିଗ୍ରସ୍ତ ଓ ଅସହାୟ ଲୋକଙ୍କୁ ଖାଦ୍ୟ, ଜଳ, ବସ୍ତ୍ର ଓ ଲଜିଷ୍ଟିକ ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଇଥିଲେ। ସେହିପରି ଏଭଳି ଏକ ଦୁଃଖଦାୟକ ପରିସ୍ଥିତିରେ ଫେକରର କର୍ମଚାରୀମାନେ ରେଳ ଦୁର୍ଘଟଣାର କ୍ଷତିଗ୍ରସ୍ତ ୧୦୦୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୦୦ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ ଏବଂ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବାହାନଗା, ସୋର, ଭଦ୍ରକ ଓ ବାଲେଶ୍ୱର ଡାକ୍ତରଖାନାକୁ ପଠାଇଥିଲେ। ଏପରିକି କମ୍ପାନୀ ପକ୍ଷରୁ ୨୦୦ରୁ ୟୁନିଟ ରକ୍ତ କମ୍ପାନୀ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଜରିଆରେ ସଂଗ୍ରହ କରାଯାଇଥିଲା। ଏହା ବ୍ୟତୀତ ବେଦାନ୍ତ ଆଲୁମିନିୟମ ବିଗତ ଦୁଇଦିନ ମଧ୍ୟରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ପ୍ୟାକେଟ ଓ ପାନୀୟ ଜଳ ଆଦି ବିଭିନ୍ନ ସ୍ଥାନରେ ଯୋଗାଇ ଦେଇଥିଲା, ଯେଉଁମାନେ ଜରୁରିକାଳୀନ ଚିକିତ୍ସା ସେବାରେ ଅଛନ୍ତି ସେମାନଙ୍କ ଯତ୍ନ ଓ ଦୁର୍ଘଟଣା ସ୍ଥଳରେ ଫେକରର କର୍ମଚାରୀ ଦିନ ରାତି କାର୍ଯ୍ୟ କରୁଛନ୍ତି। ବିଶେଷ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ କମ୍ପାନୀ ପକ୍ଷରୁ ୫୦୦ରୁ ଅଧିକ ପୋଷାକ ବଣ୍ଟନ କରାଯାଇଛି। ବେଦାନ୍ତ କେବଳ ଦୁର୍ଘଟଣାରେ ଶୀକାର ହୋଇଥିବା ରୋଗୀମାନଙ୍କୁ ନୁହେଁ ବରଂ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଉଭୟ ପ୍ରଶାସନ କର୍ମଚାରୀ ଓ ସ୍ବେଚ୍ଛାସେବୀ ଏବଂ ଉପସ୍ଥିତ ଲୋକଙ୍କୁ ମଧ୍ୟ ଖାଦ୍ୟ ଓ ପାନୀୟ ଜଳ ଆଦି ଯୋଗାଇ ଦେଇଥିଲା।

Share