Categories: ଅନୁଗୋଳ

ଉଚ୍ଛେଦ ହେଲା ଜବରଦଖଲ

ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ପୌରାଞ୍ଚଳ ଓ୍ବାର୍ଡ ନଂ. ୧୧ରୁ ରବିବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ହୋଇଛି। ହାଟଛକଠାରୁ ଖଲାରୀ ଯିବା ରାସ୍ତାରେ ଥିବା ଅଭିରାମ ପରମହଂସ ମଠ ଓ ତା ପରିସରରେ ଜାଗାକୁ ଦଲାଲମାନ ବିକ୍ରି କରିଥିଲେ। ଏ ନେଇ ଅନୁଗୋଳ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ୧ ଏକର ଜାଗାକୁ ଜବରଦଖଲ ମୁକ୍ତ କରିଥିଲେ।
ସୂଚନାଯୋଗ୍ୟ, ଅଭିରାମ ପରମହଂସ ମଠ ପାଇଁ କୌଣସି ସରକାରୀ ଅନୁମତି ନିଆଯାଇ ନ ଥିଲା। ତେବେ ସେଠାରେ ରହୁଥିବା ବାବା ୨୦୦୫ ମସିହାରୁ ଦେହତ୍ୟାଗ କରିବା ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଶିଷ୍ୟ ରହିଥିଲେ। କିନ୍ତୁ ତାଙ୍କ ଅଜାଣତରେ ଜମି ଦଲାଲଙ୍କ ଦୃଷ୍ଟି ଉକ୍ତ ଜମି ଉପରେ ପଡିଥିଲା। ଏହି ମଠ ଚାରି ପାଖରେ ପାଚେରି ବୁଲାଇ ଜମି ମାଫିଆମାନେ ଏକ ଏକରକୁ ୬ ଭାଗରେ ବାଣ୍ଟି ପ୍ଲଟିଂ କରିଥିଲେ। ତେବେ ପ୍ଲଟିଂ କରି ଗୁଣ୍ଠ ୩ ଲକ୍ଷ ଟଙ୍କା ହିସାବରେ ବିକ୍ରି କରାଯାଇଥିଲା। ଏହି ଜମିଗୁଡିକୁ ଦଲାଲମାନେ ବିଭିନ୍ନ ଶିଳ୍ପ ସଂସ୍ଥାରେ ପଦ ପଦବୀରେ ଥିବା ଲୋକଙ୍କୁ ବିକ୍ରି କରିଥିଲେ। ୪ଟି ଘର ମଧ୍ୟ ଏଠାରେ ନିର୍ମାଣ ସରିଥିଲା। ସେଥିରୁ ଗୋଟିଏ ପ୍ଲଟରେ ଆଜବେଷ୍ଟସ ଘର ନିର୍ମାଣ ହୋଇଥିବାବେଳେ ଅନ୍ୟ ଏକ ପ୍ଲଟରେ ରବିବାର ସକାଳେ ଘର ମାଲିକ ଛାତ ପକାଇଥିଲେ। ତେବେ ଏହି ବେଆଇନ ନିର୍ମାଣ ସହ ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଛି। ଏହାପରେ ଉକ୍ତ ଜାଗାକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିଛି। ଏହି ଜାଗାରେ କ’ଣ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅନ୍ୟପକ୍ଷରେ କୌଣସି ନୋଟିସ ଦିଆ ନ ଯାଇ ଘର ଉଚ୍ଛେଦ କରାଯାଇଥିବାରୁ ଘର ନିର୍ମାଣ କରିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, କୌଣସି ବେଆଇନ ନିର୍ମାଣକୁ ପ୍ରଶ୍ରୟ ଦିଆଯିବ ନାହିଁ। ସରକାରୀ ଜାଗାରେ ଥିବା ସମସ୍ତ ବେଆଇନ ନିର୍ମାଣ ଭଙ୍ଗାଯିବ। ଏ ନେଇ ବିଭିନ୍ନ ଘର ଓ ସ୍ଥାନ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ତହସିଲଦାର ଲେଙ୍କାଙ୍କ ସହ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସିଂହ, ଆରଆଇ, ତହସିଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ, ପୌରନିର୍ବାହୀ ଅଧିକାରୀ, ଟିଡି ବିଭୂତି ମହାରଣା, ପୋଲିସ ଅବୁଦଲ ଓ୍ବାସିମ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ।