ମୃତକଙ୍କ ବ୍ୟାଙ୍କ ଖାତାରୁ ୧ଲକ୍ଷ ୮୦ହଜାର ଟଙ୍କା ହଡ଼ପ

ହିଞ୍ଜିଳିକାଟୁ, ୩୦।୪(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜଣେ ମୃତବ୍ୟକ୍ତିଙ୍କ ସଞ୍ଚୟ ଖାତାରୁ ବିଭିନ୍ନ ପର୍ଯ୍ୟାୟରେ ୧ଲକ୍ଷ ୮୦ହଜାର ଟଙ୍କା ଉଠାଇ ହଡ଼ପ କରାଯାଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଶିକିରି ଗ୍ରାମର ଯୋଗେନ୍ଦ୍ର ଭଉଳଙ୍କ ମା’ ସୁରେଖା ଭଉଳଙ୍କ ନାମରେ ଏକ ସଞ୍ଚୟ ଖାତା ଶିକିରି ଏସ୍‌ବିଆଇ ଶାଖାରେ ଥିଲା। ସୁରେଖାଙ୍କ ୨୦୧୭ ନଭେମ୍ବର ୧ତାରିଖରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ମଧ୍ୟ ବିଭିନ୍ନ ସମୟରେ ଏଟିଏମ୍‌ରୁ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କା ଉଠାଇ ହଡପ କରାଯାଇଥିବା ଯୋଗେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏ ନେଇ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଯୋଗେନ୍ଦ୍ର କହିଛନ୍ତି। ଅଭିଯୋଗକୁ ଭିତ୍ତି କରି ହିଞ୍ଜିଳି ଥାନା ପୋଲିସ ଏକ ମାମଲା(ନଂ.୨୭୫/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି।