ହିତାଧିକାରୀଙ୍କ ନାଁରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ: ସରପଞ୍ଚ, ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅଭିଯୋଗ

ଜୁନାଗଡ଼,୨୪।୧୦(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର କିଛି ହିତାଧିକାରୀଙ୍କ ନାମରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ପି.ଏମ. କିଶାନ, ସି.ଏମ. କିଶାନ, ଗ୍ୟାସ ସବ୍ସିଡି ଓ ମନରେଗା ଟଙ୍କା ପ୍ରମୁଖ ରହିଛି। ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ପରମେଶ୍ୱର ମେହେର, ତାଙ୍କ ସ୍ତ୍ରୀ ତଥା ଜିଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର ଓ ତତ୍କାଳୀନ ଜିଆରଏସ ସୁଶାନ୍ତ ମେହେର ପ୍ରମୁଖଙ୍କ ହାତ ରହିଥିବା ସନ୍ଦେହ କରି ହିତାଧିକାରୀ ମାନେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଜିଲାପାଳ ଏହି ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ସରକାରୀ କାମ କରିବା ପାଇଁ ଜବ କାର୍ଡ କରାଇଦେବି କହି ସରପଞ୍ଚ ଆମ୍ଭ ମାନଙ୍କ ଅଜାଣତରେ ପାସ୍‌ବୁକ ଖୋଲି ଏଟିଏମ ନିଜ ପାଖରେ ରଖି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି। ହିତାଧିକାରୀ ଯମୁନା ବାଗ ଓ ସେକମଳ ଲୋଚନ ବାଗ। ଏହି ଘଟଣାରେ ସରପଞ୍ଚଙ୍କ ସହ ତତ୍କାଳୀନ ଜିଆରଏସ ସୁଶାନ୍ତ ମେହେରଙ୍କ ମଧ୍ୟ ହାତ ରହିଥିବା ପ୍ରକାଶ କରିଛନ୍ତି। ଏପରିକି ଏହି ଘଟଣା ପ୍ରକାଶ କଲେ ସେମାନେ ହିତାଧିକାରୀଙ୍କୁ ନାଲି ଆଖି ଦେଖିଇବା ସହ ସମସ୍ତ ସରକାରୀ ସୁବିଧା କାଟିଦେବୁ ବୋଲି ଚେତାବନୀ ଦେଉଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ। ଏ ନେଇ ଚିଚୈଗୁଡା ସରପଞ୍ଚ ପରମେଶ୍ବର ମେହେରଙ୍କୁ ପଚାରିବାରୁ ରାଜନୈତିକ ଆକ୍ରୋଶ ରଖି ମୋତେ ଏପରି କରାଯାଉଛି। ପଞ୍ଚାୟତରେ ଏମିତି କୌଣସି ଶ୍ରମିକଙ୍କ ଟଙ୍କା ହେରଫେର ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ,ଏହି ଘଟଣାକୁ ନେଇଁ ଜୁନାଗଡ଼ ଦଳୀୟ କାର୍ଯ୍ୟାଳୟରେ ଭାଜପା ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଗରିବ ହିତାଧିକାରୀଙ୍କ ଟଙ୍କା ହଡ଼ପ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି। ଖବରଦାତା ସମ୍ମିଳନୀରେ ପୁର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋଜ ମେହେର,ପୁର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼, ବରିଷ୍ଠ ନେତା ହିମାଂଶୁ ଶେଖର ବରାଡ, କାଳୀନ୍ଦ୍ରୀ ପାଣିଗ୍ରାହୀ,ଲକ୍ଷ୍ମୀ ନାରାୟଣ ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ।

Share