କେନ୍ଦୁଝର,୧୫।୩ (ସ୍ବ.ପ୍ର.): ହରିଚନ୍ଦନପୁର ଥାନା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ନିକଟରୁ ବୁଧବାର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ତିନି ଲକ୍ଷ ଟଙ୍କା ଲୁଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଅବସର ପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ବାଇକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ପରିସ୍ରା କରି ଫେରି ଦେଖିଲେ ଗାଡ଼ି ପଛରେ ଝୁଲାଇଥିବା ଟଙ୍କା ବ୍ୟାଗ ନାହିଁ। ଏ ନେଇ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଧରପଗଡ ଆରମ୍ଭ କରିଛି। ସେ ନିକଟରେ ଜାମୁଦା ସ୍କୁଲରୁ ଅବସର ନେଇଥିଲେ। ଖାମଖିଆଲ ମନୋଭାବ ଯୋଗୁ କେହି ଦୁର୍ବୃତ୍ତ ଟଙ୍କା ବ୍ୟାଗ ଧରି ପଳାଇ ଯାଇଥିବାତ୍ବେଳେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ। ଏ ନେଇ ତୁରନ୍ତ ଖୋଳତାଡ ଆରମ୍ଭ କରାଯାଇଛି ବୋଲି ଥାନା ଏସଆଇ ସୁରେଶ କୁମାର ମାଝୀ କହିଛନ୍ତି।