ନୂଆଦିଲ୍ଲୀ,୨୬।୩: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଧିକ ଥର ଉଦ୍ୟମ ପାଇଁ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ୟୁପିଏସ୍ସି ୨୦୨୧ ପ୍ରିଲିମ୍ ପାସ୍ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାରୁ ମେନ୍ ପରୀକ୍ଷାର ସମସ୍ତ ପେପର ପରୀକ୍ଷା ଦେଇପାରି ନ ଥିବା ୩ ଆଶାୟୀ ପ୍ରାର୍ଥୀଙ୍କ ପିଟିଶନର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଜବାବ ଦିଆଯାଇଛି। ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ଦେବାକୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅତିରିକ୍ତ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ସତ୍ୟପାଠ ଜରିଆରେ ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ବିଲକର ଏବଂ ଏ.ଏସ୍. ଓକାଙ୍କ ଖଣ୍ଡପୀଠକୁ କହିଥିଲେ। ପରୀକ୍ଷା ଦେଇପାରି ନ ଥିବା ଆଶାୟୀମାନଙ୍କ ନିମନ୍ତେ ପୁନଃ ପରୀକ୍ଷା ଆୟୋଜନ କରିବା ବ୍ୟବସ୍ଥା ନାହିଁ ବୋଲି ନିକଟରେ ୟୁପିଏସ୍ସି ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ।