Categories: ଜାତୀୟ

ହାଫିଜଙ୍କୁ ଆମକୁ ପ୍ରତ୍ୟର୍ପଣ କର: ଭାରତର ଦାବି ନେଇ ଅଡୁଆରେ ପାକିସ୍ତାନ…

ନୂଆଦିଲ୍ଲୀ,୨୮।୧୨ : ଲଶ୍କରରୁ ଆରମ୍ଭ କରି ଜୈଶ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଶରଣ ଦେଇ ସହାୟତା କରୁଥିବା ପାକିସ୍ତାନ ନିକଟରେ ଭାରତ ଏକ ବଡ ଦାବି କରିଛି। ଭାରତ ସରକାର ପାକିସ୍ତାନକୁ ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ତଥା ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ କରିବାକୁ କହିଛନ୍ତି। ପାକିସ୍ତାନରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦାବି କରିଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ ସଇଦ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟକୁ ଏକ ଆନୁଷ୍ଠାନିକ ଆବେଦନ ମଧ୍ୟ କରିଛନ୍ତି। ଭାରତର ଏହି ଦାବି ପରେ ବର୍ତ୍ତମାନ ପାକିସ୍ତାନ ସରକାର ଅଡୁଆରେ ପଡିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଭାରତର ଦାବିକୁ ନିଶ୍ଚିତ କରିନାହିଁ କିମ୍ବା ଏହାକୁ ଅସ୍ବୀକାର କରି ନାହିଁ। ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ପାକିସ୍ତାନୀ ବିଶ୍ଳେଷକ ତଥା ବରିଷ୍ଠ ଖବରଦାତା ଏଜାଜ ସଇଦଙ୍କ ଅନୁଯାୟୀ, ନିର୍ବାଚନ ପୂର୍ବରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ କୌଣସି ପଦକ୍ଷେପ ନେବାର ସମ୍ଭାବନା ନାହିଁ। ସେ ଦାବି କରିଛନ୍ତି ହାଫିଜ ସଇଦ ବର୍ତ୍ତମାନ ଜେଲରେ ଅଛନ୍ତି। ଏଜାଜ କହିଛନ୍ତି ପାକିସ୍ତାନ ନିର୍ବାଚନରେ ହାଫିଜ ସଇଦଙ୍କର ପ୍ରଭାବ ପଡିପାରେ।

ଭାରତ ଏପରି ସମୟରେ ଏକ ଦାବି କରିଛି ଯେତେବେଳେ ହାଫିଜ ସଇଦଙ୍କ ଦଳ ପାକିସ୍ତାନ ମର୍କଜୀ ମୁସଲିମ ଲିଗ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେବ ବୋଲି ଘୋଷଣା କରିଛି। ମିଳିତ ଜାତିସଂଘ ମଧ୍ୟ ହାଫିଜ ସଇଦଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ଭାରତର ଏହି ପ୍ରତ୍ୟର୍ପଣ ଦାବି ଯୋଗୁ ପାକିସ୍ତାନ ସରକାର ହରଡଘଣାରେ ପଡ଼ିପାରନ୍ତି। ନିକଟରେ ପାକିସ୍ତାନ ଅଭିଯୋଗ କରିଥିଲା ଭାରତ ଦ୍ୱାରା ପାକିସ୍ତାନରେ ଟିଟିପି ସହାୟତାରେ ଆତଙ୍କବାଦୀ ଆକ୍ରମଣକୁ ପ୍ରୋତ୍ସାହିତ କରାଯାଉଛି।

ହାଫିଜ ସଇଦ ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବାବେଳେ ତାଙ୍କ ଦଳ ପାକିସ୍ତାନରେ ନିର୍ବାଚନ ଲଢ଼ିବାକୁ ଅନୁମତି ପାଇଛି। ଫେବୃଆରୀ ୮ ରେ ହେବାକୁ ଥିବା ନିର୍ବାଚନ ପାଇଁ ହାଫିଜଙ୍କ ଦଳ ପ୍ରତ୍ୟେକ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। କେବଳ ଏତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଫିଜଙ୍କ ପୁଅ ତାଲହା ସଇଦ ମଧ୍ୟ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି ଏବଂ ସେ ଲାହୋର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଉଛି। ଆମେରିକା ହାଫିଜ ସଇଦଙ୍କ ଉପରେ ୧୦ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛି। ଏଭଳି ପରିସ୍ଥିତିରେ ଭାରତର ଦାବି ଯୋଗୁ ପାକିସ୍ତାନ ଅଡୂଆରେ ପଡ଼ିବ ବୋଲି ବିବେଚନା କରାଯାଉଛି।

Share