Categories: ଜାତୀୟ

ଭୀଷଣ ଜଳବାୟୁ ପରିବର୍ତ୍ତନ: ଗତ ୧୦ ବର୍ଷରେ ଭୀଷଣ ପାଗ ୫ ଗୁଣ ବୃଦ୍ଧି

ନୂଆଦିଲ୍ଲୀ,୭ା୯: ଭାରତର ୮୫%ରୁ ଊର୍ଦ୍ଧ୍ୱ ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ଭାଗ ଯଥା ବନ୍ୟା, ବାତ୍ୟା, ଅନାବୃଷ୍ଟି ଆଦିର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଆଇପିଇ ଗ୍ଲୋବାଲ ଏବଂ ଏସ୍ରି ଇଣ୍ଡିଆ ପକ୍ଷରୁ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ, ୪୫% ଜିଲାରେ ଧାରା ବଦଳୁଥିବା ଦେଖାଯାଇଛି। ଯେଉଁ ଜିଲାଗୁଡ଼ିକ ପାରମ୍ପରିକ ଭାବେ ବନ୍ୟାପ୍ରବଣ ଥିଲା, ତାହା ଏବେ ମରୁଡ଼ିପ୍ରବଣ ହୋଇଥିବା ବେଳେ ମରୁଡ଼ିପ୍ରବଣ ଜିଲା ବନ୍ୟାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି।

ସ୍ପାଟିକାଲ ଏବଂ ଟେମ୍ପରାଲ ମଡେଲିଂ ବ୍ୟବହାର କରାଯାଇ ୧୯୭୩ରୁ ୨୦୨୩ ମଧ୍ୟରେ ପାଣିପାଗର ଅନୁଧ୍ୟାନ କରାଯାଇଥିଲା। କେବଳ ଗତ ୧୦ ବର୍ଷ ମଧ୍ୟରେ ଭୀଷଣ ପାଗ ୫ ଗୁଣ ବୃଦ୍ଧି ହୋଇଛି। ପ୍ରବଳ ବନ୍ୟା ୪ ଗୁଣ ବଢ଼ିଛି। ପୂର୍ବ ଭାରତର ଜିଲାଗୁଡ଼ିକ ଅତ୍ୟଧିକ ବନ୍ୟା ପ୍ରବଣ ହୋଇଥିବା ବେଳେ ଏହା ପଛକୁ ଉତ୍ତରପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ରହିଛି। ଅନାବୃଷ୍ଟି ୨ ଗୁଣ ଏବଂ ବାତ୍ୟା ୪ ଗୁଣ ବଢ଼ିଛି। ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଆସାମର ୬୦%ରୁ ଊର୍ଦ୍ଧ୍ୱ ଜିଲା ଏକାଧିକ ଭୀଷଣ ଜଳବାୟୁ ପରିବର୍ତ୍ତନ ଜନିତ ପାଗର ସମ୍ମୁଖୀନ ହୋଇଛନ୍ତି।

ଜଳବାୟୁ ପରିବର୍ତ୍ତନର ବର୍ତ୍ତମାନର ଧାରା ଯୋଗୁ ପ୍ରତି ୧୦ରୁ ୯ ଜଣ ଭାରତୀୟ ପ୍ରଭାବିତ ହୋଇଛନ୍ତି। ନିକଟରେ କେରଳର ପ୍ରଳୟଙ୍କର ଭୂସ୍ଖଳନ, ଗୁଜରାଟ ବନ୍ୟା, ଓମ୍‌ ପର୍ବତର ତୁଷାର ଉଭେଇଯିବା, ପ୍ରବଳ ବର୍ଷା ଯୋଗୁ ସହରଗୁଡ଼ିକରେ ଜୀବନଯାତ୍ରା ହଠାତ୍‌ ଅଚଳ ହୋଇପଡ଼ିବା ଜଳବାୟୁ ପରିବର୍ତ୍ତନର ଉଦାହରଣ। ୨୦୩୬ ସୁଦ୍ଧା ୧୪୭ କୋଟି ଭାରତୀୟ ଜଳବାୟୁ ପରିବର୍ତ୍ତନ ଜନିତ ଭୀଷର ଭାଗର ସମ୍ମୁଖୀନ ହେବେ ବୋଲି ଅବିନାଶ କହିଛନ୍ତି।

Share