ମାର୍ଚ୍ଚରେ କଲବଲ କରିବ ତାତି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ଉପରମୁହଁା ହୋଇଛି। ଦେହମୁଣ୍ଡ ପୋଡ଼ି ଜାଳି ପକାଉଛି। ଆସନ୍ତା ୨୮ ତାରିଖ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁବ। ରାତିର ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବ। ମାର୍ଚ୍ଚ ୨ରୁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ ହେବ। ଉପକୂଳରେ ତାପମାତ୍ରା ସାମାନ୍ୟ କମ୍‌ ରହିଲେ ମଧ୍ୟ ଆଭ୍ୟନ୍ତର ଓଡ଼ିଶାରେ ତାତି କଲବଲ କରିବ। ଏପ୍ରିଲରୁ ପାରଦ ଆହୁରି ଉପରମୁହଁା ହୋଇ ୪୪ ଡିଗ୍ରୀକୁ ଛୁଇଁବା ସମ୍ଭାବନା ରହିଛି। ବୁଧବାର ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ବାରିପଦା ୩୬.୮, ବଲାଙ୍ଗୀର ୩୬.୪, ନୟାଗଡ଼ ୩୬.୫, ଅନୁଗୋଳ ୩୫.୭, ଭବାନୀପାଟଣା ୩୫.୫, ତାଳଚେର ୩୫.୫, ସମ୍ବଲପୁର ୩୫.୩, ଝାରସୁଗୁଡ଼ାରେ ୩୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ବୁଧବାର ଗାଇଡଲାଇନ ପାଳନ କରିବା ନେଇ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଜନସଚେତନତା ସୃଷ୍ଟି ସହ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରତ୍ୟେକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share