ଉତ୍ତାପ ବୃଦ୍ଧିରୁ ଭୟଙ୍କର ବିପର୍ଯ୍ୟୟ

ହାଡ଼ିବନ୍ଧୁ ଖଣ୍ଡୁଆଳ

ପ୍ରାକୃତିକ ବିପର୍ଯ୍ୟୟମାନ କାୟା ବିସ୍ତାର କରି ବିଶ୍ୱକୁ ମାଡ଼ି ଆସୁଛି। ଉତ୍ତାପ ବୃଦ୍ଧି, ବାତ୍ୟା, ମହାବାତ୍ୟା, ସ୍ବଳ୍ପ ବୃଷ୍ଟି, ସ୍ବଳ୍ପ ସମୟରେ ଅତ୍ୟଧିକ ବୃଷ୍ଟି, ବରଫ ପାହାଡ଼ ତରଳିବା ଧସିବା ଇତ୍ୟାଦି ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଉଛି, ତା’ର ମୂଳ କାରଣ ହେଉଛି ପାଣିପାଗରେ ପରିବର୍ତ୍ତନ। ପରିବର୍ତ୍ତିତ ପାଣିପାଗ ଉପରେ ବିଶ୍ୱରେ ସଚେତନତା ସୃଷ୍ଟି କରିବାକୁ ମାର୍ଚ୍ଚ ୨୩ ତାରିଖକୁ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଏ।
ଓ୍ବାଶିଂଟନର ଏକ ଖବରକୁ ଭିତ୍ତିକରି ଗତ ୧ା୩ା୨୧ ଦିନ ଆମ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଛି। ସେଥିରେ କୁହାଯାଉଛି ଆଣ୍ଟାର୍କଟିକାରେ ଏକ ବିରାଟ ହିମ ବରଫ ପାହାଡ଼ ଧସିପଡ଼ିଛି ବା ଭାଙ୍ଗିପଡ଼ିଛି। ଏ ପାହାଡ଼ର ଆକାର ୧,୨୭୦ ବର୍ଗ କିଲୋମିଟର, ଯାହା ଦିଲ୍ଲୀ ମହାନଗରୀ ଆକାର (୧୨୩୨ ବର୍ଗ କିଲୋମିଟର) ସହ ସମାନ। ଏ ବରଫ ଖଣ୍ଡର ମୋଟେଇ ୧୫୦ ମିଟର (୫୦୦ ଫୁଟ୍‌) ଅର୍ଥାତ୍‌ ଏ ବରଫ ଖଣ୍ଡ ତରଳି ଗଲେ ଏହାର ଜଳରେ ଦିଲ୍ଲୀ ମହାନଗରୀ ଉପରେ ୫୦୦ ଫୁଟ୍‌ ଉଚ୍ଚର ଜଳ ଠିଆ ହୋଇଯିବ। ବରଫ ପାହାଡ଼ ଭୁଶୁଡ଼ୁଛି ଉତ୍ତାପ ବୃଦ୍ଧିରୁ, ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଯଦି ମେରୁ ଅଞ୍ଚଳର ସମସ୍ତ ବରଫ ତରଳି ସମୁଦ୍ରକୁ ମାଡ଼ି ଆସେ, ସମୁଦ୍ରର ଜଳସ୍ତର ୭୦ ମିଟର (୨୩୩ ଫୁଟ୍‌) ବଢ଼ିଯିବ। ପୃଥିବୀର ସ୍ଥଳଭାଗର ୩ ଗୁଣ ଜଳଭାଗ ହୋଇଥିବାରୁ ପୃଥିବୀରେ କି ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହୋଇପାରିବ, ଥରେ ଚିନ୍ତା କରାଯାଉ।
ବିଶ୍ୱ ବିପର୍ଯ୍ୟୟ ବିଷୟରେ ଜାତିସଂଘ ମହାସଚିବ ବିଶ୍ୱବାସୀଙ୍କୁ ଦେଇଥିବା ଏକ ସତର୍କ ବାର୍ତ୍ତା ୨୩ା୪ା୨୦ରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ଆଣ୍ଟାର୍କଟିକାରେ ଥିବା ବରଫ ପାହାଡ଼ ତରଳି ସମୁଦ୍ରକୂଳ ଲଂଘିବା ଦ୍ୱାରା କରୋନାଠାରୁ ଅଧିକ ଭୟଙ୍କର ବିପର୍ଯ୍ୟୟ ପୃଥିବୀକୁ ମାଡ଼ି ଆସିବ। ଏସୀୟ ଉନ୍ନୟନ ବ୍ୟାଙ୍କ ଅନୁଧ୍ୟାନ କରି ପ୍ରକାଶ କରିଥିଲେ ଯେ, ବରଫ ତରଳି ଯଦି ସମୁଦ୍ର ଜଳପତ୍ତନ ଏକ ମିଟର ବୃଦ୍ଧି ପାଏ, ଭାରତର ୫, ୭୬, ୪୦୦ ହେକ୍ଟର ସମୁଦ୍ର ତଟାଞ୍ଚଳ ଜଳମଗ୍ନ ହେବ। ଏଥିରେ ଅନ୍ୟାନ୍ୟ କ୍ଷତି ସାଙ୍ଗକୁ ୭୧ ଲକ୍ଷ ଲୋକ ବାସଚ୍ୟୁତ ହେବେ। ବରଫ ପାହାଡ଼ ତରଳୁଛି ଭୂମଣ୍ଡଳୀୟ ଉତ୍ତାପ ବୃଦ୍ଧି କାରଣରୁ, ଭୂମଣ୍ଡଳୀୟ ଉତ୍ତାପ ବର୍ଷକୁ ବର୍ଷ ବଢ଼ି ବିପର୍ଯ୍ୟୟ ସୃଷ୍ଟି କରି ଚାଲିଛି ଓ ଆଗକୁ ବଡ଼ ବିପର୍ଯ୍ୟୟ ଘଟାଇବ।
ଉତ୍ତାପ ବୃଦ୍ଧି ହେବା ଫଳରେ ଯେଉଁ ବିପଦ ହେବ ସମାଜକୁ ଆସ୍ତେ ଆସ୍ତେ ଗ୍ରାସ କରିବ, ତା’ର ଏକ ସଂକ୍ଷିପ୍ତ ବିବରଣୀ ଦେବା। ଉତ୍ତାପ ବୃଦ୍ଧି ଫଳରେ ୨୦୩୫ ବେଳକୁ ହିମାଳୟ ବରଫ ଶୂନ୍ୟ ହୋଇଯାଇପାରେ ଓ ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ନଦୀ ଗ୍ରୀଷ୍ମଋତୁରେ ଶୁଷ୍କ ହୋଇଯିବ। ଭାରତୀୟ ମୌସୁମୀ ବାଦଲକୁ ବର୍ଷା ଜଳ ଆସିବାରେ ବାଧା ସୃଷ୍ଟି ହେବ ଓ ଶୁଷ୍କ ମୌସୁମୀ ଯୋଗୁ ଭାରତୀୟ କୃଷକ ଖରିଫ ଫସଲ ପରିବର୍ତ୍ତନ କରିବାକୁ ବାଧ୍ୟ ହେବେ। ଭୂତଳ ଜଳସ୍ତର କ୍ରମାଗତ ଭାବେ ନିମ୍ନଗାମୀ ହେବ ଓ କ୍ରମଶଃ ଲବଣାକ୍ତ ହେବ। ୨୦୨୫ ବେଳକୁ ପୃଥିବୀର ୨୪% ଲୋକ ପାନୀୟ ଜଳରୁ ବଞ୍ଚିତ ହେବେ। ୧୮% ଲୋକଙ୍କୁ ପାନୀୟ ଜଳ ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ ଓ ଅବଶିଷ୍ଟ ୫୮% କେବଳ ଆବଶ୍ୟକ ଜଳ ପାଇପାରିବେ। ସମୁଦ୍ର ଉପରିସ୍ଥ ଜଳର ଉତ୍ତାପ ଅଧିକ ହେଲେ, ଭବିଷ୍ୟତରେ ଘନ ଘନ ବାତ୍ୟା, ମହାବାତ୍ୟା ଓ ଉଚ୍ଚ ଲହଡ଼ି ସୃଷ୍ଟି ହେବ ଏବଂ ସମୁଦ୍ରରେ ଥିବା ଛୋଟ ଛୋଟ ମତ୍ସ୍ୟ, ଜୀବ ଓ ଜଳଜ ଉଦ୍ଭିଦ ବଂଶ ଲୋପପାଇବ। ସାଇବେରିଆରେ ବରଫ ତରଳିରେ ବରଫ ତଳେ ଥିବା ମିଥେନ ଓ ଅଙ୍ଗାରକାମ୍ଳ ଗ୍ୟାସ ବାୟୁରେ ମିଶି ବାୟୁମଣ୍ଡଳୀୟ ଉପତ୍ତ୍ତିକରଣକୁ କ୍ଷିପ୍ରତର କରିବ। ଅଂଶୁଘାତର ପ୍ରକୋପ ବୃଦ୍ଧି ପାଇବ ଓ ବିପୁଳ ସଂଖ୍ୟାରେ ଦିନମଜୁରିଆ ଅଂଶୁଘାତର ଶିକାର ହେବେ। ରୋଗଗୁଡ଼ିକର ପ୍ରାଦୁର୍ଭାବ ବଢ଼ିବ। ଦେଶର ଶୁଷ୍କ ଅଞ୍ଚଳ ଅଧିକ ଶୁଷ୍କ ଓ ଆର୍ଦ୍ର ଅଞ୍ଚଳ ଅଧିକ ଆର୍ଦ୍ର ହେବ। ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ଉତ୍ତର ଭାରତରେ ଅଧିକ ଉତ୍ତାପ ଅନୁଭୂତ ହେବ। ଆମ ରାଜ୍ୟର ହେନ୍ତାଳ ବନ ନଷ୍ଟ ହୋଇଯିବ। ପୃଥିବୀରେ ମରୁଭୂମି ଆକାର ବୃଦ୍ଧି ପାଇବ। ଦକ୍ଷିଣ ଆଫ୍ରିକାର ବିଶ୍ୱ ପ୍ରସିଦ୍ଧ ଆମାଜନ ଅରଣ୍ୟ ଧ୍ୱଂସ ପାଇବ। ଆଭ୍ୟନ୍ତରୀଣ ଉତ୍ପାଦନ ହ୍ରାସ ପାଇ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ।
୨୦୧୯ ନଭେମ୍ବରରେ ଦେଶର ୧୧,୨୫୮ (ଭାରତର ୬୯ଜଣ) ବୈଜ୍ଞାନିକ ଅତୀତ ୪୦ବର୍ଷର ତଥ୍ୟକୁ ଅନୁଧ୍ୟାନ କରି ଏକ ଘୋଷାଣାନାମାରେ ଦସ୍ତଖତ କରି ବିଶ୍ୱକୁ ଅବଗତ କରାଇଲେ ଯେ, ମେରୁ ବରଫ ଦ୍ରୁତଗତିରେ ତରଳିବାରୁ ସମୁଦ୍ର ଜଳ ପତନ ବଢ଼ୁଛି ଓ ଏହା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ହେବ। ୧୬ା୬ା୧୯ରେ ନ୍ୟୁୟର୍କରୁ ପ୍ରକାଶିତ ଏକ ଖବରରେ କୁହାଯାଇଛି ଯେ, ଗ୍ରୀନଲାଣ୍ଡରେ ସାଧାରଣତଃ ମେ’ ମାସ ୨୬ରୁ ବରଫ ତରଳିବା ଆରମ୍ଭ ହେଉଥିଲା ବେଳେ, ଏହା ୨୦୧୯ରେ ମାସକ ପୂର୍ବରୁ ତରଳିବା ଆରମ୍ଭ ହୋଇ ଓ ଗୋଟିଏ ଦିନରେ ୨ ବିଲିୟନ ଟନ ବରଫ ତରଳି ରେକର୍ଡ ସୃଷ୍ଟି କରିଛି। ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ୍‌ (ଆଇ.ପି.ସି.ସି) ଦ୍ୱାରା କୁହାଯାଇଛି ଯେ, ୨୦୫୦ରୁ ୨୧୦୦ ମସିହା ମଧ୍ୟରେ ଗ୍ରୀଷ୍ମ ଋତୁରେ ଆଣ୍ଟାର୍କଟିକାରୁ ସବୁ ବରଫ ତରଳିଯିବ। ପୂର୍ବରୁ କୁହାଯାଇ ଥିଲା ୧୯୫୯ରୁ ୨୦୦୭ ମସିହା ମଧ୍ୟରେ ଆଣ୍ଟାର୍କଟିକାରେ ୨.୫ ପ୍ରତିଶତ ବରଫ ତରଳି ଥିଲା। କିନ୍ତୁ ପରବର୍ତ୍ତୀ ଗବେଷଣାରୁ ଜଣାଗଲା ସେ ସମୟ ମଧ୍ୟରେ ୭.୮ ପ୍ରତିଶତ ବରଫ ତରଳିଛି। ଗଙ୍ଗୋତ୍ରିରେ ଗ୍ଲାସିୟର ଆସ୍ତେ ଆସ୍ତେ ପଛକୁ ଘୁଞ୍ଚି ଚାଲିଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ଶତାବ୍ଦୀ ଶେଷ ବେଳକୁ ହୁଏତ ଗୋଟିଏ ହେଲେ ବରଫଗଦା ଭୂପୃଷ୍ଠରେ ନ ଥିବ। ୧୯୭୬ରୁ ୧୯୮୫ ମସିହା(୧୦ବର୍ଷ) ମଧ୍ୟରେ ଯେଉଁ ପରିମାଣ ବରଫ ତରଳି ଥିଲା ୧୯୮୬ରୁ ୧୯୯୫(୧୦ବର୍ଷ) ମଧ୍ୟରେ ତା’ର ଦୁଇଗୁଣରୁ ଅଧିକ ବେଗରେ ଓ ୧୯୯୬ରୁ ୨୦୦୫(୧୦ବର୍ଷ) ମଧ୍ୟରେ ଏହାଠାରୁ ୪ଗୁଣା ବେଗରେ ବରଫ ତରଳୁଛି।
ପୂର୍ବୋକ୍ତ ଆଇପିସିସିର ଗଣନା ଅନୁସାରେ ଏକବିଂଶ ଶତାବ୍ଦୀରେ ଭୂମଣ୍ଡଳୀୟ ଉତ୍ତାପ ୧.୧ରୁ ୬.୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଏ ଅନୁଷ୍ଠାନର ବୈଜ୍ଞାନିକ ଡ. ରାଜେନ୍ଦ୍ର ପାଚୌରୀ, ଭୂମଣ୍ଡଳୀୟ ଉତ୍ତାପ ବୃଦ୍ଧିର ବର୍ତ୍ତମାନ ଓ ଭବିଷ୍ୟତ ବୃଦ୍ଧିର କଳନା କରିବାକୁ ଏକ କମ୍ପ୍ୟୁଟର ମଡେଲ ତିଆରି କରି ୨୦୦୭ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ୨୦୧୯ ନଭେମ୍ବରରେ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ଏକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି, ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ୨୮.୮୭ ଡିଗ୍ରୀ ସେଲସିୟସ ଥିବା ବେଳେ ୨୧୦୦ ସୁଦ୍ଧା ଏହାର ହାରାହାରି ତାପମାତ୍ରା ୩୨.୧୯ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇବ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୧୬ ଏପ୍ରିଲ ୧୬ରେ ଭୁବନେଶ୍ୱରର ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇ ଅତୀତର ଏପ୍ରିଲ ତାପମାତ୍ରାର ସମସ୍ତ ରେକର୍ଡ ଭଙ୍ଗ କରିଥିଲା। ମରୁଭୂମିରେ ଖରାରେ ମରୀଚିକା ସୃଷ୍ଟି ହୋଇ ଜଳର ଭ୍ରମ ସୃଷ୍ଟି ହେଲା ଭଳି ଭୁବନେଶ୍ୱର ରାସ୍ତାରେ ମରୀଚିକା ସୃଷ୍ଟି ହୋଇଥିଲା ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ବିଶ୍ୱ ବାୟୁମଣ୍ଡଳୀୟ ଉତ୍ତାପ ବୃଦ୍ଧିର ପ୍ରମୁଖ କାରଣ ବାୟୁରେ ଅଙ୍ଗାରକାମ୍ଳ ବୃଦ୍ଧି। ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ କିପରି ବୃଦ୍ଧି ପାଉଛି, ତା’ର ଏକ ଉଦାହରଣ ହେଉଛି ଅତୀତର ଶିଳ୍ପ ବିପ୍ଳବ ପୂର୍ବରୁ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ଭାଗ ୨୦ ପିପିଏମ୍‌ ଥିଲା ବେଳେ ତାହା ୨୦୫୦ ବେଳକୁ ୬୦୦ ପିପିଏମ୍‌ରେ ପହଞ୍ଚିବ ବୋଲି ଆଇପିସିସି ଆକଳନ କରିଛି।
ବାୟୁରେ ଅଙ୍ଗାରକାମ୍ଳ ଭାଗ କମାନ୍ତୁ ବୃକ୍ଷରାଜି ଓ ତୃଣଭୂମି। ଉତ୍ତାପ ବୃଦ୍ଧି ଏଥିରେ ଲଗାମ ଦେଉଛି। ଆମେରିକାର ଗବେଷକଙ୍କ ଦ୍ୱାରା ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ, ବୃକ୍ଷରାଜି ମାତ୍ରାଧିକ ଉତ୍ତାପ ଦ୍ୱାରା ଆକ୍ରାନ୍ତ ହେଲେ ସେମାନଙ୍କର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା ଦୁଇ ତୃତୀୟାଂଶ ହ୍ରାସ ପାଏ। ବୃକ୍ଷରାଜି ଓ ତୃଣଭୂମି ଥରେ ଉତ୍ତାପ ବୃଦ୍ଧିରେ ଆକ୍ରାନ୍ତ ହେଲେ ଏହା ପ୍ରଭାବରୁ ମୁକ୍ତ ହେବା ପାଇଁ ଅନୂ୍ୟନ ଦୁଇବର୍ଷ ସମୟ ଏମାନଙ୍କ ପାଇଁ ଦରକାର। ଏ ବିଷୟ ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର କାରଣ ହେଲାଣି। ଅଙ୍ଗାରକାମ୍ଳ ନିର୍ଗମନର ଏକ ପ୍ରମୁଖ କାରଣ ହେଉଛି ଜୀବାଶ୍ମ ଇନ୍ଧନ(ପେଟ୍ରୋଲ, ଡିଜେଲ, କିରୋସିନ ଓ କୋଇଲା) ଦହନ। ଏ ଇନ୍ଧନ ଦହନ କରି ରାସ୍ତାରେ ବିଭିନ୍ନ ଯାନ, ଆକାଶରେ ବିମାନ ଓ ଜଳରେ ବୁଡ଼ା ଜାହାଜ ଚାଲୁଥିବା ସାଙ୍ଗକୁ କଳକାରଖାନା ଚାଲିଛି। ଆମ ବହୁ ଆଦୃତ ବିଦ୍ୟୁତର ସିଂହଭାଗ ମିଳେ ତାପଜ ବିଦ୍ୟୁତ କେନ୍ଦ୍ରରୁ; ଯେଉଁଠାରେ ଏକ ଇଉନିଟ ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ୧୨୦୦ ଗ୍ରାମ ଅଙ୍ଗାରକାମ୍ଳ ନିର୍ଗତ ହୁଏ। ଦ୍ରୁତଭାବେ ବଢ଼ି ଚାଲିଥିବା ଯାନବାହନ ଓ ବିଦ୍ୟୁତ ବ୍ୟବହାରରେ ଆମେ ଲଗାମ ଦେଲେ ପରିବେଶ ପ୍ରଦୂଷଣ ଓ ଉତ୍ତାପ ବୃଦ୍ଧିରେ ଲଗାମ ଦେଇପାରିବା। ଆଇପିସିସି ରିପୋର୍ଟ ଅନୁସାରେ ପୃଥିବୀରେ ବାର୍ଷିକ ମୁଣ୍ଡପିଛା ୨.୫ଟନ ଅଙ୍ଗାରକାମ୍ଳ ନିର୍ଗମନ ନିରାପଦ ସ୍ଥଳେ ଆମେ ନିର୍ଗମନ କଲୁଣି ତା’ର ୨ ଗୁଣ ବା ୫ଟନ। ଭସ୍ମାସୁର ଯେପରି ଶିବଙ୍କଠାରୁ ବରପ୍ରାପ୍ତିରେ ଉତ୍‌ଫୁଲିତ ହୋଇ ନିଜ ଅପକର୍ମ ଦ୍ୱାରା ନିଜେ ଧ୍ୱଂସ ହେଲା; ଆମେ ବିଜ୍ଞାନାଗାରରୁ ପ୍ରାପ୍ତ ନୂତନ ଜ୍ଞାନରେ ଉତ୍‌ଫୁଲିତ ହୋଇ ପରିବେଶ ଅବକ୍ଷୟ କାର୍ଯ୍ୟ କରିଚାଲିଲେ ଆମେ ଧ୍ୱଂସ ପାଇବା।
ପରିବେଶ ଇଞ୍ଜିନିୟର, କୋଟିତୀର୍ଥ, ଭୁବନେଶ୍ୱର
ମୋ: ୭୦୦୮୮୪୬୨୭୨