ଯାଜପୁର ଅଫିସ,୨୦।୧୨: ରାଜ୍ୟର ପ୍ରମୁଖ ସହର ଓ ଶିଳ୍ପାଞ୍ଚଳଗୁଡ଼ିକରେ ବାୟୁ ଏବଂ ଜଳ ପ୍ରଦୂଷଣ ମାତ୍ରା ଅଣାୟତ୍ତ ହେବାରେ ଲାଗିଛି। ଏଭଳିସ୍ଥଳେ ରାଜ୍ୟବାସୀ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଥର ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟରେ ହନ୍ତସନ୍ତ ହେଲେଣି। ଦିନକୁ ଦିନ ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ୁଛି। ଆଗାମୀ ଦିନରେ ଅଧିକରୁ ଅଧିକ ବାତ୍ୟା ଆଶଙ୍କା, ସମୁଦ୍ର ଜଳପତନରେ ବୃଦ୍ଧି, ଚରମ ମରୁଡ଼ି ପରିସ୍ଥିତି, ଗ୍ରୀଷ୍ମ ପ୍ରବାହ ବୃଦ୍ଧି, ଅନିୟମିତ ବୃଷ୍ଟିପାତ ଆଦି ବିପତ୍ତି ଦେଖିବାକୁ ମିଳିପାରେ। ଏହି କଥା ପରିବେଶବିତ୍ ଚେତାଇ ଆସୁଥିଲାବେଳେ ଏବେ ସରକାର ତାହା କହୁଛନ୍ତି। ଗତ ବିଧାନସଭା ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଭଳି ଚେତେଇ ଦେଇଛନ୍ତି। ପ୍ରଦୂଷଣ, ପ୍ରକୃତି ବିପରୀତ ଜୀବନଶୈଳୀ ହିଁ ପରିବେଶକୁ ସଙ୍କଟ ମଧ୍ୟକୁ ଠେଲି ଦେଉଛି। ସାରା ବିଶ୍ୱ ଏବେ ଘୋର ପ୍ରାକୃତିକ ବିପତ୍ତିର ସୂତାଖିଅରେ ଝୁଲୁଥିବାବେଳେ ଓଡ଼ିଶାବାସୀ ତା’ର ପରିଣାମ ଭୋଗିଲେଣି।
ଗୋଟିଏ ପଟେ ସରକାର ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ଘରୋଇ କମ୍ପାନୀଗୁଡ଼ିକୁ ପରିବେଶର ବିପର୍ଯ୍ୟୟ ନିମନ୍ତେ ବାଟ ପ୍ରସ୍ତୁତ କରାଯାଉଛି, ଏଥିରେ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଆଦି ସରକାରୀ କଳ ଭାଗୀଦାରି ସାଜୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କେତେଜଣ ଅଧିକାରୀ ଶିଳ୍ପ ଓ ଖଣି କମ୍ପାନୀଠାରୁ ମାସିକ ଚାନ୍ଦା ନେଉଥିବା ସଂକ୍ରାନ୍ତରେ ନିକଟରେ ଏକ ଖଣି କମ୍ପାନୀର ଇ-ମେଲ୍ ଆଦାନପ୍ରଦାନରୁ ସ୍ପଷ୍ଟ ହୋଇସାରିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ରିପୋର୍ଟ ଆଧାରରେ ଦେଶର ୧୦୬ ସହର ମଧ୍ୟରୁ ଓଡ଼ିଶାର ୭ଟି ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ଏହି ତାଲିକାରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ପାରାଦୀପ, ତାଳଚେର, ଅନୁଗୋଳ, ସମ୍ବଲପୁର ରହିଛି। ୨୦୨୦ ଜାନୁୟାରୀରେ ଗ୍ରୀନ୍ପିସ୍ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଦେଶର ୧୦୦ ପ୍ରଦୂଷିତ ସହର ମଧ୍ୟରେ ପାରାଦୀପ ୭୯ତମ ସ୍ଥାନରେ ରହିଥିବାବେଳେ କଳିଙ୍ଗନଗର ୮୪, ରାଉରକେଲା ୮୫, କଟକ ୮୮ ଓ ତାଳଚେର ୯୩ ତମ ସ୍ଥାନରେ ରହିଥିଲା।
ଏସ୍ପିସିବି ପକ୍ଷରୁ ଗତ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଦାଖଲ ରିପୋର୍ଟରେ କଳିଙ୍ଗନଗର, ତାଳଚେର, ରାଜଗାଙ୍ଗପୁର ଓ ରାଉରକେଲାରେ ବାୟୁରେ ପାର୍ଟିକୁଲେଟ୍ ମେଟର ବା ପିଏମ୍(୧୦) ମାତ୍ରା ଅନୁମତିଯୋଗ୍ୟଠାରୁ ଅଧିକ ରହିଛି। ତେବେ ସଲ୍ଫର ଡାଏଅକ୍ସାଇଡ(ଏସ୍ଓ୨), ନାଇଟ୍ରୋଜେନ୍ ଅକ୍ସାଇଡ(ଏନ୍ଓ୨) ଓ ପିଏମ୍୨.୫(ଫାଇନ୍ ପାର୍ଟିକୁଲେଟ ମେଟର) ମାତ୍ରା ଅନୁମତିଯୋଗ୍ୟ ସ୍ତରରେ ରହିଥିବା ଦର୍ଶାଯାଇଛି। ସବୁଜ ଗୃହ ବାଷ୍ପ ନିରାକରଣ, କାର୍ବନ ଫୁଟପ୍ରିଣ୍ଟ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯେତେସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସବୁଥିରେ ଅନିୟମିତତା ହେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ନିମ୍ନମାନର ଯନ୍ତ୍ରପାତି ସ୍ଥାପନ, ରିପୋର୍ଟରେ ରଫାଦଫା, କେତେକ ଶିଳ୍ପ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ, ଇଟିପି(ଏଫ୍ଲୁଏଣ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ) ବାହାରେ ବର୍ଜ୍ୟଜଳ ଛଡାଯିବା, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ନ କରିବା ଆଦି ଅଭିଯୋଗ ସାଧାରଣ କଥା ହୋଇଛି। ଏହିସବୁ କାରଣରୁ ଜଳବାୟୁ ପରିବର୍ତ୍ତନ ଘଟି ରାଜ୍ୟର ପ୍ରାୟତଃ ଉପକୂଳ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଚିର ସହଚର ହେବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି।