ରାଜ୍ୟରେ ବଢୁଛି ଆଖିଧରା ରୋଗ

ଭୁବନେଶ୍ୱର, ୧୨।୭ (ବନ୍ଦନା ସେଠୀ): ରାଜ୍ୟରେ ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ପ୍ରତି ୧୦ ଜଣ ଲୋଙ୍କ ମଧ୍ୟରୁ ୩ରୁ ୪ଜଣ ଆଖିଧରା ରୋଗରେ ସଂକ୍ରମିତ ହେଉଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁଯାୟୀ ପୂର୍ବ ବର୍ଷ ତୁଳନାରେ ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦୁଇଗୁଣାରେ ପହଞ୍ଚତ୍ଛି। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ସ୍ଥିତି ବିଗିଡ଼ିଲେ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିପାରନ୍ତି ବୋଲି ଡା. ମିଶ୍ର କହିଛନ୍ତି। ବିଶେଷକରି ସମ୍ବଲପୁର ସଦର ମେଡିକାଲ ଓ ଭୀମ୍‌ସାର୍‌ରେ ଆଖିଧରା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ ପ୍ରତିଶତ ରୋଗୀ କେବଳ ଆଖିଧରା ସଂକ୍ରମିତ ବୋଲି ଜଣାପଡ଼ିଛି। ସେହିପରି ଭୀମ୍‌ସାର୍‌କୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆଖିଧରା ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ଏକ ଭୂତାଣୁ ଜନିତ ରୋଗ। ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ। ଏହି ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେଉଥିବାରୁ ସତର୍କ ରହିବାକୁ ପଡ଼ିବ। ସେହିପରି ଆଖିଧରା ରୋଗରେ ଅଧିକାଂଶ ଛାତ୍ରୀଛାତ୍ର ସଂକ୍ରମିତ ହେଉଥିବାର ଚିତ୍ର ସାମ୍ନାକୁ ଆସୁଛି। ତେଣୁ ପିଲାମାନଙ୍କ ଅଭିଭାବକମାନେ ସତର୍କତା ଅବଲମ୍ବନ କରିବା ସହ ସଂକ୍ରମିତ ପିଲାଙ୍କୁ ସ୍କୁଲକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ତେବେ ଆଖିଧରା ରୋଗରୁ ରକ୍ଷା ପାଇବା ତଥା ଏହାର ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ମାର୍ଗଦର୍ଶିକା ଜାରି କରାଯାଇଛି।

Share