Advertisement

ବାଲିଗୁଡ଼ାରେ ବ୍ୟାପୁଛି ଆଖିଧରା ରୋଗ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି । ବିଶେଷକରି ବିଦ୍ୟାଳୟ ଓ କଲେଜକୁ ଆସୁଥିବା ଛାତ୍ରୀଛାତ୍ର ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏଥିପାଇଁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସତର୍କତା ଓ ସଚେତନତା ମଧ୍ୟ କରାଯାଇଛି। ଉକ୍ତ ରୋଗ ବ୍ୟାପୁଥିବା ବେଳେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଆକ୍ରାନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ନ ପଠାଇବା ପାଇଁ ପରାମର୍ଶ ଦେବା ସହ ଅଭିଭାବକମାନେ ଠିକ୍‌ ଭାବରେ ଯତ୍ନ ନେବାକୁ କୁହାଯାଇଛି। ଏହା କ୍ରମଶଃ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ସଂକ୍ରାମକ ରୋଗ। ବର୍ଷା ଆରମ୍ଭରୁ ଏହି ରୋଗ ଦେଖାଯାଇଥାଏ। ରୋଗୀ ନିଜ ଆଖିକୁ ହାତମାରି ବ୍ୟବହାର କରୁଥିବା ଯେକୌଣସି ବସ୍ତୁ ତଥା ମୋବାଇଲ, ବାସନକୁସନ ଏବଂ ଡ୍ରେସ କପଡ଼ାକୁ ଅନ୍ୟଜଣେ ବ୍ୟକ୍ତି ବ୍ୟବହାର କଲେ ମଧ୍ୟ ଏହି ରୋଗ ବ୍ୟାପିବା ନିଶ୍ଚିତ ବୋଲି ଜନୈକ ଡାକ୍ତର କହିଛନ୍ତି। ଏଥିରୁ ରକ୍ଷା ପାଇବାକୁ ହେଲେ ଆଖି ଧରିଥିବା ବ୍ୟକ୍ତିଙ୍କଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ସଚେତନତା ଅଭାବ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଯାଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସଚେତନତା କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share