ଭୁବନେଶ୍ୱର,୭ା୭(ବନ୍ଦନା ସେଠୀ): ବର୍ଷାଦିନ ଆରମ୍ଭରୁ ରାଜ୍ୟରେ ଡେଙ୍ଗୁ, ହଇଜା ସଂକ୍ରମଣ ମାଡ଼ିଚାଲି ଥିବାବେଳେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲାରୁ ପ୍ରତିଦିନ ଶହ ଶହ ଆଖିଧରା ରୋଗୀ ଚିହ୍ନଟ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷକରି ଛୋଟପିଲା ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ପ୍ରତି ଅଧିକ ସଂକ୍ରମଣର ବିପଦ ରହିଥିବା କହିଛନ୍ତି। ଅପରପକ୍ଷେ ସଂକ୍ରମଣର ଗୁରୁତ୍ୱକୁ ଦେଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ମାର୍ଗଦର୍ଶିକା ଜାରି କରାଯାଇ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ଆଖିଧରା ଏକ ସ୍ପର୍ଶ ଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଖୁବ୍ଶୀଘ୍ର ବ୍ୟାପିଥାଏ। ତେଣୁ ଏଥିପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ କିମ୍ବା ସେ ବ୍ୟବହାର କରିଥିବା ଆଇଡ୍ରପ୍ ଅନ୍ୟମାନେ ବ୍ୟବହାର କରିବାକୁ ବାରଣ କରାଯାଇଛି।