ଭାରତରେ ପ୍ରସ୍ତୁତ କରୋନା ଟୀକା ଉପରେ ସବୁ ଦେଶଙ୍କ ଆଖି…

ନୂଆଦିଲ୍ଲୀ, ୪।୮: ଭାରତରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ କୋଭିଶିଲ୍ଡ କରୋନା ଟୀକାର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏନେଇ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକ ନିର୍ଦ୍ଦେଶାଳୟର ମଞ୍ଜୁରୀ ମଧ୍ୟ ମିଳି ସାରିଛି। ଭାରତରେ ପ୍ରସ୍ତୁତି ହେଉଥିବା କୋଭଶିଲ୍ଡର ଟ୍ରାଏଲ୍‌ ଉପରେ ପୃଥିବୀର ସମସ୍ତ ଦେଶଙ୍କର ଆଖି ରହିଛି। ବହୁ ରାଷ୍ଟ୍ରମୁଖ୍ୟ ଏବଂ ମନ୍ତ୍ରୀ ଏନେଇ ପ୍ରତିଦିନ ଫୋନ୍‌ କଲ୍‌ କରୁଥିବା କୁହାଯାଉଛି। କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ବ୍ରିଟେନ୍‌ରେ ବେଶ୍‌ ସଫଳ ରହିଛି। ତେଣୁ କୋଭିଶିଲ୍ଡ ଉପରେ ସବୁ ଦେଶର ତୀକ୍ଷଣ୍‌ ଜନର ରହିଛି। ଏହା ମାନବ ଶରୀରରେ ଆଣ୍ଟିବଡ଼ି ଏବଂ ଟି-ସେଲ୍‌ ପ୍ରସ୍ତୁତି କରିବାରେ ସଫଳ ରହିଛି। ଟି-ସେଲ୍‌ ଭୂତାଣୁକୁ ଚିହ୍ନଟ କରିଥାଏ ସେହିପରି ଆଣ୍ଟିବଡ଼ି ଭୂତାଣୁ ସହିତ ଲଢ଼ିଥାଏ। ସିରମ ଇନଷ୍ଟିଚ୍ୟୁଟ ଏକ ମିନିଟ୍‌ରେ ୫୦୦ ଡୋଜ୍‌ ଟୀକା ପ୍ରସ୍ତୁତ କରିବାକୁ ସକ୍ଷମ ବୋଲି ସିଇଓ ଅଦାର ପୁନାଓ୍ବାଲା ସୂଚନା ଦେଇଛନ୍ତି। ତାଙ୍କ ପାଖକୁ ପ୍ରତିଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରମୁଖ୍ୟ ଏବଂ ମନ୍ତ୍ରୀଙ୍କ ଫୋନ୍‌ କଲ୍‌ ଆସୁଥିବା ସେ କହିଛନ୍ତି। ମାନବ ପରୀକ୍ଷଣ ପରେ କମ୍ପାନୀ ୫୦ କୋଟିର ଅଧିକ ପ୍ରତିଷେଧକ ଟୀକା ଉପଲବ୍ଧ କରାଇବ ବୋଲି ସେ କହିଛନ୍ତି।

Share