Categories: ଫୁରସତ

ଇଚ୍ଛାଶକ୍ତି ଥିଲେ ମିଳେ ସଫଳତା

ଜଣଙ୍କର ସଫଳତା ପ୍ରାପ୍ତିରେ ଦିବ୍ୟାଙ୍ଗତା ସମସ୍ୟା କୌଣସି ବାଧା ସୃଷ୍ଟି କରେନା। ଦୃଢ଼ ମନୋବଳ ଥିଲେ ଜୀବନରେ ସମସ୍ତ କ୍ଷେତ୍ରରେ ବିଜୟ ମିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ସହିତ ସେମାନଙ୍କ ପ୍ରତି ମାନବ ସମାଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୩ରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଥାଏ। ମିଳିତ ଜାତିସଂଘ ସାଧାରଣ ସଭାରେ ଯୁକ୍ତରାଷ୍ଟ୍ର ଆମେରିକାର ଶିକ୍ଷା ବିଭାଗର ସହକାରୀ ସଚିବ ରବର୍ଟ ଆର ଡାଭିଲା ଡିସେମ୍ବର ୩ରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଲାଗି ପ୍ରସ୍ତାବ ଦେଇଥିଲେ। ଏହାପରେ ୧୯୯୨ଠାରୁ ପ୍ରତିବର୍ଷ ଡିସେମ୍ବର ୩ରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହି ଦିବସ ପାଳନ ଅବସରରେ ଦିବ୍ୟାଙ୍ଗଙ୍କ ଅଧିକାର ଏବଂ ସେମାନଙ୍କ ପ୍ରତି ସମାଜର କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରାଯିବା ଲାଗି ସଚେତନତା ସୃଷ୍ଟି ହୋଇଥାଏ।
ମିଳିତ ଜାତିସଂଘରେ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ଅନ୍ତର୍ଗତ ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ସୁଯୋଗ ପ୍ରଦାନ ପାଇଁ ସମାନତା, ପୁନର୍ବାସ ଏବଂ ଅକ୍ଷମତା ରୋକିବା ଉପରେ ଗୁରୁତ୍ୱ ଦେବା ଲାଗି ଆହ୍ବାନ ଦିଆଯାଇଥିଲା। ସମାଜରେ ଦିବ୍ୟାଙ୍ଗଙ୍କ ଜୀବନ ତଥା ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଡିସେମ୍ବର ୧୯୮୨ରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଗ୍ରହଣ କରାଯାଇଥିବା ଏହା ସହିତ କେତେକ ପ୍ରସ୍ତାବ ଆଧାରରେ ଦିବ୍ୟାଙ୍ଗଙ୍କ ବିକାଶ କାର୍ଯ୍ୟକ୍ରମ ୧୯୮୩ରୁ ୧୯୯୩ ପର୍ଯ୍ୟନ୍ତ ଏକ ଦଶନ୍ଧି ଧରି ଚାଲିଥିଲା, ଯଦ୍ଦ୍ବାରା ଦିବ୍ୟାଙ୍ଗମାନଙ୍କର ବହୁବିଧ ବିକାଶ ସମ୍ଭବ ହୋଇ ପାରିଥିଲା। ଏହି ଦିବସ ପାଳନ ଅବସରରେ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମାଜରେ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥାଏ।

Share