ପୁଣେ,୩ା୯: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଉଛି। ଯଦି ଜରୁରୀ କାମ ପଡ଼େ ତେବେ ମାସ୍କ ବାନ୍ଧିବାକୁ ଲଗାତର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ମାତ୍ର କିଛି ଲୋକ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏମିତି ଅମାନିଆଙ୍କୁ ମାସ୍କ ପିନ୍ଧିବା ପାଇଁ ପୁଣେ ପୋଲିସ ଏକ ସ୍ବତନ୍ତ୍ର ଉପାୟ ଆପଣାଇଛି। ଯାହା ଜାଣିଲେ ଆପଣ ମଧ୍ୟ ପ୍ରଶଂସା କରିବେ।
ପୁଣେ ପୋଲିସ ସୋସିଆଲ ମିଡିଆରେ ଏକ ଡାଏରୀର ଖାଲି ପୃଷ୍ଠା ଶେୟାର କରି ଲେଖିଛି, କେବଳ ମାସ୍କ ହିଁ କରୋନା ଭାଇରସ୍ଠାରୁ ଆପଣଙ୍କୁ ଦୂରରେ ରଖିପାରିବ। ଏଥିପାଇଁ କିଛି କାରଣ ନାହିଁ। ଯାହା ଆପଣ ଲେଖିପାରିବେ ମାସ୍କ କାହିଁକି ପିନ୍ଧିବାକୁ ଚାହୁଁନାହାନ୍ତି। ଲୋକେ ପୁଣେ ପୋଲିସର ଏହି ସଚେତନତା ବାର୍ତ୍ତା ମଜାଳିଆ ଭାବେ ଗ୍ରହଣ କରିଛନ୍ତି। ଏହି ଟୁଇଟ୍ ସହିତ ନାଗପୁର ପୋଲିସ ସୋସିଆଲ ମିଡିଆ ୟୁଜର୍ସମାନେ ମାସ୍କ ପିନ୍ଧିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ତାଙ୍କ ପାଖରେ ମାସ୍କ ପିନ୍ଧିବା ବ୍ୟତୀତ ଆଉ କୌଣସି ରାସ୍ତା ନାହିଁ। ପୁଣେ ପୋଲିସର ଏହି ଟୁଇଟ୍କୁ ହଜାର ହଜାର ଲୋକେ ଲାଇକ୍ କରିବା ସହ ରିଟୁଇଟ୍ କରିଛନ୍ତି।
ସୂଚନାଯୋଗ୍ୟ, ଭାରତରେ କରୋନା ଭାଇରସ୍ରେ ୩୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୬୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି।