ସୀମାନ୍ତରେ ମୁହାଁମୁହିଁ ସ୍ଥିତି: ଓଡ଼ିଶା ପୋଲିସ ଉପରକୁ ବିଛୁଆତି ଫିଙ୍ଗିଲେ ପଶ୍ଚିମବଙ୍ଗବାସୀ

ଭୋଗରାଇ, ୨୫।୪(ଡି.ଏନ.ଏ.): ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ପ୍ରତି ବିପଦ ଦେଖାଦେଇଛି। ଏହି ମାରାମତ୍କ ଭୂତାଣୁ ଅଧିକ ଘାତକ ସାବ୍ୟସ୍ତ ହେଉଥିବାରୁ ଓଡ଼ିଶା ସରକାର ଆଗୁଆ ସତର୍କତା ସ୍ବରୂପ ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲା ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ସୀମା ସିଲ୍‌ ପରେ ଦୁଇ ରାଜ୍ୟର ସୀମାନ୍ତବାସୀ ମୁହାଁମୁହିଁ ହୋଇଛନ୍ତି। ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ୍‌ପ୍ଲାଜା ଏବଂ ଭୋଗରାଇ ସାହାବାଜିପୁର ଚନ୍ଦନେଶ୍ୱର-ଦୀଘା ରାସ୍ତାରେ ପୋଲିସ ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିବା ବହୁ ଲୋକଙ୍କୁ ଫେରାଇ ଦେଉଥିବାରୁ ପଶ୍ଚିମବଙ୍ଗବାସୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ସେମାନେ ଶୁକ୍ରବାର ସାହାବାଜିପୁର ଉଦୟପୁର ରାସ୍ତା ଡନ ଛକରେ ଓଡ଼ିଶା ପୋଲିସ ଉପରକୁ ବିଛୁଆତି ଫିଙ୍ଗିବା ସହ କରାଯାଇଥିବା ବାଡ଼କୁ ଓପାଡି ଫିଙ୍ଗିଦେଇଥିଲେ। ଶନିବାର ମଧ୍ୟ ସେମାନେ ସୀମାନ୍ତରେ ଓଡ଼ିଶାର ମାଲବାହୀ ଟ୍ରକ୍‌ଗୁଡ଼ିକୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଟକ ରଖି ନାରାବାଜି ପ୍ରଦର୍ଶନ କରିଥିଲେ। ପଶ୍ଚିମବଙ୍ଗ ସୀମାନ୍ତବାସୀଙ୍କୁ ତାଙ୍କ ପ୍ରଶାସନ ସମର୍ଥନ କରୁଥିବାରୁ ସେଠାରେ ବିସ୍ଫୋରକ ସ୍ଥିତି ଉପୁଜିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଓଡ଼ିଶାରୁ ଯାଇଥିବା ମାଲବାହୀ ଟ୍ରକ୍‌ଗୁଡ଼ିକର ଡ୍ରାଇଭର, କ୍ଲିନର ଓ କର୍ମଚାରୀମାନେ ବାରମ୍ବାର ନିବେଦନ କରିବା ପରେ ପଶ୍ଚିମବଙ୍ଗ ସୀମାନ୍ତବାସୀଙ୍କ ସହ ପ୍ରଶାସନ ଗାଡ଼ିଗୁଡ଼ିକୁ ଛାଡ଼ିଥିଲେ।

ବାଲେଶ୍ୱର ଜିଲା ସହିତ ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମମେଦିନୀପୁର ଅଞ୍ଚଳବାସୀଙ୍କ ସମ୍ପର୍କ ଅତି ନିବିଡ଼। ଏହାବ୍ୟତୀତ ସ୍ବାସ୍ଥ୍ୟସେବା, ବାଣିଜ୍ୟ ବ୍ୟବସାୟ, ହାଟ, ବଜାର, ପର୍ଯ୍ୟଟନ ଓ ବନ୍ଧୁବାନ୍ଧବ ପରସ୍ପର ସହଭାଗିତା ରହିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରୁ କରୋନାର ନୂଆ ଭୂତାଣୁ ବାଲେଶ୍ୱର ଜିଲାକୁ ବ୍ୟାପିବା ଆଶଙ୍କା କରି ଓଡ଼ିଶା ସରକାର ସୀମା ସିଲ୍‌ କରିଛନ୍ତି। ବାଲେଶ୍ୱର ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଭୋଗରାଇର ୩୬ ଓ ଜଳେଶ୍ୱର ବ୍ଲକର ୮ଟି ରାସ୍ତାକୁ ସିଲ୍‌ କରି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ ରୋକ ଲଗାଇ ୧୪ଦିନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରହିବାକୁ ବାଧ୍ୟତାମୂଳକ କରିଛନ୍ତି। ଅପରପକ୍ଷରେ ଓଡ଼ିଶା ସରକାର ସୀମା ସିଲ୍‌ କୋହଳ ନ କଲେ ଦୀଘାରେ କାର୍ଯ୍ୟରତ ଭୋଗରାଇ ଅଞ୍ଚଳର ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହଟାଇ ଦିଆଯିବ ବୋଲି ସେଠାକାର ଅଞ୍ଚଳବାସୀ ଓ ନେତା ଚେତାବନୀ ଦେଇଛନ୍ତି। ରବିବାରଠାରୁ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସୀମାନ୍ତରେ ଅନୁରୂପ ଭାବେ ଅନ୍ୟ ଏକ ନାକାବନ୍ଦୀ ଚେକ୍‌ପୋଷ୍ଟ କରାଯିବାର ସୂଚନା ମିଳିଛି।