Categories: ଜାତୀୟ

ସମାଜକୁ ପ୍ରଭାବିତ କରିପାରେ ଫେସ୍‌ବୁକ୍‌

ନୂଆଦିଲ୍ଲୀ, ୯ା୭:ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଦେଶ ଓ ବାହାର ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ୟୁଜର୍ସଙ୍କ ପୋଷ୍ଟ ସମାଜରେ ଧ୍ରୁବୀକରଣ ଆଣିପାରେ ବୋଲି ସୁପ୍ରିମକୋର୍ଟ ଗୁରୁବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୨୦ ଫେବୃୟାରୀରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀରେ ଘଟିଥିବା ଦଙ୍ଗା ଘଟଣାରେ ଦିଲ୍ଲୀ ବିଧାନସଭା କମିଟି ଫେସ୍‌ବୁକ୍‌ ଇଣ୍ଡିଆର ଉପାଧ୍ୟକ୍ଷ ଏବଂ ଏମ୍‌ଡି ଅଜିତ୍‌ ମୋହନଙ୍କୁ ସମନ କରିଥିଲା। ଏହାକୁ ସେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ତାଙ୍କ ପିଟିଶନ୍‌ର ଶୁଣାଣି କରି କହିଛନ୍ତି, ପୋଷ୍ଟ ହେଉଥିବା ବିଭିନ୍ନ ପ୍ରସଙ୍ଗର ସତ୍ୟତା ଲୋକେ ଜାଣିପାରି ନ ଥାନ୍ତି। ଫଳରେ ଏହା ଦେଶବିଦେଶରେ ରହୁଥିବା ଲୋକଙ୍କୁ ସହଜରେ ପ୍ରଭାବିତ କରିଥାଏ। ତେଣୁ ମୋହନଙ୍କ ଆବେଦନ ଅପରିପକ୍ୱ ଏବଂ ଦିଲ୍ଲୀ ବିଧାନସଭା ପ୍ୟାନେଲ ତାଙ୍କୁ ସମନ କରିବା ମନ୍ଦ ନୁହେଁ। ଦିଲ୍ଲୀ ଦଙ୍ଗା ମାମଲାରେ ଫେସବୁକ୍‌ ସାକ୍ଷୀ ଭାବେ ହାଜର ନ ହେବାରୁ ତାଙ୍କୁ ସମନ କରାଯାଇଥିଲା। ପ୍ରକାଶ ଯେ, ଏହି ପ୍ରସଙ୍ଗରେ ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ଫେବୃୟାରୀ ୨୪ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।

Share