ଫେସ୍‌ବୁକ ପାଇଁ ୭୦ ବର୍ଷ ପରେ ମା’ଙ୍କୁ ଫେରିପାଇଲେ

ଢାକା,୨୯।୯: ସୋସିଆଲ ମିଡିଆ ପ୍ଲାଟଫର୍ମ କାରଣରୁ ୭୦ ବର୍ଷ ପରେ ନିଜ ମା’ଙ୍କୁ ଫେରିପାଇଛନ୍ତି ବାଂଲାଦେଶର ଜଣେ ୮୨ ବର୍ଷୀୟ ବୃଦ୍ଧ। ବୃଦ୍ଧଙ୍କ ମା’ଙ୍କ ବୟସ ପାଖାପାଖି ୧୦୦ ହେବ। ଅବଦୁଲ କୁଦ୍ଦୁସ ମୁନସିଙ୍କୁ ଯେତେବେଳେ ୧୦ ବର୍ଷ ଥିଲେ ସେ ମାମୁଁଙ୍କ ଘରେ ରହିବା ପାଇଁ ଚାଲି ଯାଇଥିଲେ। ସେଠାରୁ ସେ ଘର ଛାଡ଼ି ପଳାଇବାରୁ ପରିବାରବର୍ଗଙ୍କ ସହ ତାଙ୍କ ଯୋଗାଯୋଗ ନ ଥିଲା।

‘ଏହା ମୋ ଜୀବନର ସବୁଠୁ ଖୁସିର ଦିନ’ ବୋଲି ୮୨ ବର୍ଷୀୟ ବୃଦ୍ଧ କହିଛନ୍ତି। ସେ ପୂର୍ବ ପାକିସ୍ତାନର ପୂର୍ବାଞ୍ଚଳ ସୀମାବର୍ତ୍ତୀ ଜିଲା ବ୍ରହ୍ମାନବାରିଆରେ ୧୯୩୯ରେ ଜନ୍ମ ହୋଇଥିଲେ।

ଅପ୍ରିଲରେ ଜଣେ ବ୍ୟବସାୟୀ କୁଦ୍ଦୁସଙ୍କ ଭିଡିଓ ଫେସବୁକରେ ଶେୟାର କରି ତାଙ୍କ ବାପା-ମା’ଙ୍କୁ ଖୋଜିବାରେ ୟୁଜରଙ୍କ ସାହାଯ୍ୟ ମାଗିଥିଲେ। କୁଦ୍ଦୁସଙ୍କୁ କେବଳ ତାଙ୍କ ବାପା-ମା’ ଓ ଗାଁର ନାମ ମନେ ଥିଲା। ସେହି ଭିଡିଓକୁ ଦେଖିବା ପରେ କୁଦ୍ଦୁସଙ୍କୁ ଯୋଗାଯୋଗ କରିଥିଲେ ଜଣେ ଦୂର ସମ୍ପର୍କୀୟ। ଆଉ ଜଣାଇଥିଲେ ତାଙ୍କ ମା’ ଏବେ ବି ଜ୍ଜୀବିତ। ଏହା ଜାଣିବା ପରେ ୩ ପୁଅ ଓ ୫ ଝିଅଙ୍କ ବାପା କୁଦ୍ଦୁସ ପହଞ୍ଚିଥିଲେ ୩୫୦ କିମି ଦୂରରେ ଥିବା ପଶ୍ଚିମାଞ୍ଚଳ ସହର ରାଜଶାହିରେ। ଛୁଟିରେ ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ହାତରେ ଥିବା ଚିହ୍ନକୁ ଦେଖି ତାଙ୍କ ମା’ ଓ ଭଉଣୀ ତାଙ୍କୁ ଚିହ୍ନିଥିଲେ।

ମୋ ମା ଏବେ ବୃଦ୍ଧା ହୋଇଗଲେଣି। ଏବେ ସେ କଥା ହୋଇପାରୁ ନାହାନ୍ତି। ମୋତେ ଦେଖିବା ପରେ ସେ ମୋ ହାତଧରି କାନ୍ଦିଥିଲେ। ମୁଁ ତାଙ୍କୁ କହିଥିଲି ତୋ ପୁଅ ଫେରି ଆସିଛି। ଏବେ ଠୁ ତମର କିଛି ଚିନ୍ତା କରିବାର ନାହିଁ ବୋଲି କୁଦ୍ଦୁସ ମା’ଙ୍କୁ କହିଥିଲେ।

Share