Categories: ଜାତୀୟ

ମୁକ୍ତ, ଅବାଧ ଇଣ୍ଟରନେଟ ଆକ୍ରମଣର ସମ୍ମୁଖୀନ: ପିଚାଇ

ନୂଆଦିଲ୍ଲୀ, ୧୩।୭: ମୁକ୍ତ ଓ ଅବାଧ ଇଣ୍ଟରନେଟ ବିଭିନ୍ନ ଦେଶରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅଧିକାଂଶ ଦେଶ ତଥ୍ୟ ପ୍ରବାହ ଧାରା ଉପରେ କଟକଣା ଲଗାଇଛନ୍ତି ବା ଲଗାଇବାକୁ ଉଦ୍ୟମ କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ଓ୍ବେବ୍‌ସାଇଟ ଏବଂ ସର୍ଚ୍ଚ ଇଞ୍ଜିନ୍‌ଗୁଡ଼ିକ ଭାରତର ନୂଆ ଆଇଟି ନିୟମାବଳୀକୁ ନେଇ ଅଡୁଆରେ ପଡ଼ିଥିବାବେଳେ ପିଚାଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଭଲ ପାଇଁ ମୁକ୍ତ ଓ ଅବାଧ ଇଣ୍ଟରନେଟ ଏକ ବିଶାଳ ଶକ୍ତି ବୋଲି ସେ ବିବେଚନା କରୁଥିଲେ ଏବଂ ଏହାକୁ ଏକ ପ୍ରାପ୍ୟ ଭାବେ ଧରିନେଇଥିଲେ। ତେବେ ଅନ୍‌ଲାଇନ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଆଇନ ଆଣୁଥିବାରୁ ଉକ୍ତ ଧାରଣା ବଦଳିଯାଇଛି। କେଉଁ ଉକ୍ତି ଠିକ୍‌ ଏବଂ କାହାକୁ ଅନୁମତି ଦିଆଯିବା ଉଚିତ ତାହା ଉପରେ ବିଭିନ୍ନ ଦେଶରେ ବିତର୍କ ଦେଖାଦେଇଛି। ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଓ ମୂଲ୍ୟବୋଧ ଥିବା ଦେଶଗୁଡ଼ିକ ଇଣ୍ଟରନେଟର ସମ୍ଭାବିତ ବିଖଣ୍ଡନ ବିରୋଧରେ ସ୍ବର ଉଠାଇବାକୁ ଗୁଗଲ୍‌ ମୁଖ୍ୟ ଆହ୍ବାନ ଦେଇଛନ୍ତି।

Share