Categories: ଜାତୀୟ

କୁକୁର ଖାଇଲାନି ବୋଲି ରାହୁଲ କର୍ମୀଙ୍କୁ ଦେଇଥିଲେ କି ବିସ୍କୁଟ? ଭିଡିଓ ଭାଇରାଲ, ଜଣାପଡିଲା ସତ

ନୂଆଦିଲ୍ଲୀ,୯।୨:ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏବେ ବାହାରିଛନ୍ତି ରାହୁଲ ଗାନ୍ଧୀ। ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ଏବେ ଛତିଶଗଡରେ ପହଞ୍ଚିଛି। ଏହାରି ଭିତରେ ଯାତ୍ରାକୁ ନେଇ କଂଗ୍ରେସ କର୍ମୀ ତ ଉତ୍ସାହିତ ଅଛନ୍ତି ହେଲେ ରାହୁଲଙ୍କୁ ନେଇ ଟ୍ରୋଲ ବି ଖୁବ୍‌ ହେଉଛି। ଆଉ ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ଏକ ଭାଇରାଲ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଦେଖାଯାଉଛି ଯେ, ରାହୁଲ ଏକ କୁକୁରକୁ ବିସ୍କୁଟ ଖୁଆଉଛନ୍ତି। ହେଲେ କୁକୁରଟି ବିସ୍କୁଟ ଖାଉନାହିଁ। ଏହାପରେ ଏହି ବିସ୍କୁଟକୁ ଜଣେ କର୍ମୀଙ୍କୁ ଦେଇଛନ୍ତି। ଯାହାର ଭିଡିଓକୁ ଟୁଇଟ କରି ଅନେକେ ଭାଜପା ନେତା ରାହୁଲଙ୍କୁ ଟ୍ରୋଲ କରିଛନ୍ତି। ହେଲେ ସତରେ କଣ ରାହୁଲ କୁକୁରକୁ ଦେଇଥିବା ବିସ୍କୁଟଟି ଜଣେ କଂଗ୍ରେସ କର୍ମୀଙ୍କୁ ଦେଇଥିଲେ। ଆସନ୍ତୁ ଜାଣିବା ଏହାର ସତ।

ଏହି ବିବାଦକୁ ନେଇ ଇଣ୍ଡିଆ ଟୁଡେ ଫ୍ୟାକ୍ଟ ଚେକ୍‌ କରିଛି। ଯେଉଁଥିରେ ସତ କଣ ଜଣାପଡିଛି। ବାସ୍ତବରେ ରାହୁଲ କୁକୁରକୁ ବିସ୍କୁଟ ଦେଇଥିଲେ। ହେଲେ କୁକୁରଟି ବିସ୍କୁଟ ଖାଇ ନ ଥିଲା। ଏଥିପାଇଁ ରାହୁଲ କୁକୁରର ମାଲିକଙ୍କୁ ସେହି ବିସ୍କୁଟ ଦେଇଥିଲେ। ପରବର୍ତ୍ତୀ ସମୟରେ ମାଲିକ ବିସ୍କୁଟ ଦେବାରୁ କୁକୁରଟି ଖାଇଥିଲା। ତେବେ ଇଣ୍ଡିଆ ଟୁଡେ ଦ୍ୱାରା ଫ୍ୟାକ୍ଟ ଚେକ୍‌ବେଳେ ଜଣାପଡିଛି କି, ରାହୁଲ ବିସ୍କୁଟ କୌଣସି କଂଗ୍ରେସ କର୍ମୀ ନୁହେଁ କୁକୁରର ମାଲିକଙ୍କୁ ଦେଇଥିଲେ। ଏସମ୍ପର୍କରେ ଖୋଦ୍‌ ମାଲିକ ମଧ୍ୟ ଭିଡିଓ ଜାରି କରି ସ୍ପଷ୍ଟ କରିଛନ୍ତି।

ଏଥିସହ ରାହୁଲ ଗାନ୍ଧୀ ମଧ୍ୟ ଏସମ୍ପର୍କରେ ଗଣମାଧ୍ୟମକୁ ସାକ୍ଷାତକାରରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ କୁକୁରଟିକୁ ବିସ୍କୁଟ ଦେଇଥିଲି ହେଲେ ସେ ନ ଖାଇବାରୁ ବିସ୍କୁଟକୁ ତା’ର ମାଲିକଙ୍କୁ ଦେଇଥିଲି। ମୁଁ ଖାଇବାକୁ ଦେବା ସମୟରେ କୁକୁରଟି ଡରି ଯାଇଥିଲା। ସେଥିପାଇଁ ସେ ମୋ ହାତରୁ ଖାଉ ନ ଥିଲା। ହେଲେ ଯେତେବେଳେ ତା’ର ମାଲିକ ତାକୁ ଖୁଆଇଲେ ସେ ବିସ୍କୁଟ ଖାଇଥିଲା।

ତେବେ ଇଣ୍ଡିଆ ଟୁଡେ ସେହି କୁକୁର ମାଲିକଙ୍କ ସହ ମଧ୍ୟ ସତ ଜାଣିବା ପାଇଁ ଯୋଗାଯୋଗ କରିଛି। ଯେଉଁଥିରେ ସେ ମଧ୍ୟ ଭାଇରାଲ ଭିଡିଓକୁ ମିଛ ବୋଲି କହିଛନ୍ତି। ବ୍ୟକ୍ତିଜଣକ ହେଲେ ଧାନବାଦର ଜିତେନ୍ଦ୍ର କୁମାର। ସେ କହିଛନ୍ତି, ରାହୁଲଜୀ ମୋ ପୋଷା କୁକୁର ଲୁସିକୁ ବିସ୍କୁଟ ଦେଇଥିଲେ। ଲୁସି କାର୍‌ ଉପରେ ବସିବା ଯୋଗୁ ଡରି ଯାଇଥିଲା। ତେଣୁ ରାହୁଲ ବିସ୍କୁଟ ମୋ ହାତକୁ ବଢେଇ ଦେଇ ଲୁସିକୁ ଖୁଆଇବାକୁ କହିଥିଲେ। ଜିତେନ୍ଦ୍ର ଆହୁରି କହିଛନ୍ତି, ଭାଇରାଲ ଭିଡିଓଟି ସମ୍ପୂର୍ଣ୍ଣ ମିଛ। ରାହୁଲ କୌଣସି କଂଗ୍ରେସ କର୍ମୀଙ୍କୁ ଲୁସିର ବିସ୍କୁଟ ଦେଇ ନାହାନ୍ତି।

 

Share