Categories: ଜାତୀୟ

ମୁଖ୍ୟମନ୍ତ୍ରୀ ହେବାପରେ ପଦାବନତି: ମହାରାଷ୍ଟ୍ରରେ ଫଡ୍‌ନବିସ ପଞ୍ଚମ

ମୁମ୍ବାଇ,୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ କ୍ୟାବିନେଟରେ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ତଳ ପାହ୍ୟାକୁ ଖସିବାରେ ଫଡ୍‌ନବିସ ହେଉଛନ୍ତି ରାଜ୍ୟର ପଞ୍ଚମ ନେତା। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନ ପରେ ଭାଜପା ସହ ଶିବସେନାର କ୍ଷମତା ଭାଗବଣ୍ଟା ନ ଛିଣ୍ଡିବାରୁ ଫଡ୍‌ନବିସ ତରବରିଆ ଭାବେ ନଭେମ୍ବର ୨୩ରେ ଏନ୍‌ସିପି ବିଧାୟକ ଅଜିତ ପାଓ୍ବାରଙ୍କୁ ଧରି ଶପଥ ନେଇଥିଲେ। କିନ୍ତୁ ସଂଖ୍ୟା ଯୋଗାଡ଼ କରି ନ ପାରିବାରୁ ୩ ଦିନ ଭିତରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତେବେ ମୁଖ୍ୟମନ୍ତ୍ରୀ ପଦରୁ ଯିବା ପରେ କନିଷ୍ଠ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପ୍ରଥମ ନୁହେଁ। କଂଗ୍ରେସ ନେତା ଶଙ୍କର ରାଓ ଚଭନ ୧୯୭୫ରେ ମୁଖ୍ୟମନ୍ତ୍ରୀ ହୋଇ ୨ ବର୍ଷ ଦାୟିତ୍ୱ ତୁଲାଇଥିଲେ। ପରେ ବସନ୍ତ ଦାଦା ପାଟିଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ୧୯୭୮ରେ ପାଟିଲ କ୍ୟାବିନେଟରେ ମନ୍ତ୍ରୀ ଥିବା ଶରଦ ପାଓ୍ବାର ସେହି ସରକାରର ପତନ ଘଟାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପାଓ୍ବାରଙ୍କ ନେତୃତ୍ୱାଧୀନ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାରରେ ଚଭନ ଅର୍ଥ ମନ୍ତ୍ରୀ ହୋଇଥିଲେ। ଶିବାଜୀରାଓ ପାଟିଲ ନୀଲଙ୍ଗେକର ୧୯୮୫ ଜୁନ୍‌ରୁ ୧୯୮୬ ମାର୍ଚ୍ଚ ପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ। ଏହାର ଅନେକ ବର୍ଷ ପରେ ଅର୍ଥାତ୍‌ ୨୦୦୪ରେ ସୁଶୀଲ ସିନ୍ଧେଙ୍କ କ୍ୟାବିନେଟରେ ତାଙ୍କୁ ରାଜସ୍ବ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ୧୯୯୯ରେ ତତ୍କାଳୀନ ଶିବସେନା ନେତା ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ବର୍ଷେ ମଧ୍ୟରେ ସୀମିତ ରହିଥିଲା। ପରେ ରାଣେ ଶିବସେନା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ବିଳାସରାଓ ଦେଶମୁଖଙ୍କ ନେତୃତ୍ୱାଧୀନ ସରକାରରେ ରାଣେଙ୍କୁ ରାଜସ୍ବ ବିଭାଗ ମିଳିଥିଲା। କଂଗ୍ରେସ ନେତା ଅଶୋକ ଚଭନ ୨୦୦୮ରୁ ୨୦୧୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ରେ ଉଦ୍ଧବ ଠାକ୍‌ରେଙ୍କ ଏମ୍‌ଭିଏ ସରକାରରେ ସେ ପୂର୍ତ୍ତମନ୍ତ୍ରୀ ଥିଲେ।

Share