କଟକ,୨୭।୯(ବ୍ୟୁରୋ): ଏକ ଆପରାଧିକ ମାମଲାର କେସ୍ ଡାଏରି ଦାଖଲ କରିବାରେ ବିଫଳ ହୋଇଥିବା କଳାହାଣ୍ଡି ଜିଲା ଜୟପାଟଣା ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ଓଡ଼ିଶା ହାଇକୋର୍ଟ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କ ଖଣ୍ଡପୀଠ କଳାହାଣ୍ଡି ଜିଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ନିକଟରେ ଜରିମାନା ରାଶି ଜମା କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୮ ତାରିଖରେ ହାଇକୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଏ ସମ୍ପର୍କିତ କେସ୍ ଡାଏରି ଦାଖଲ କରିବା ପାଇଁ କଳାହାଣ୍ଡି ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏସ୍ପି ରିପୋର୍ଟ ଦାଖଲ କରି ନ ଥିଲେ। ଫଳରେ ହାଇକୋର୍ଟ ଏସ୍ପିଙ୍କ ବିରୋଧରେ ମଧ୍ୟ ଅଦାଲତ ଅବମାନନା ନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ କରିଥିଲେ। ଏହାସହ ସେପ୍ଟେମ୍ବର ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କାରଣ ଦର୍ଶାଇ ସତ୍ୟପାଠ ସହ କେସ୍ ଡାଏରି ଦାଖଲ ନ କଲେ କଳାହାଣ୍ଡି ଏସ୍ପି ଏବଂ ଜୟପାଟଣା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଇ ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହେବା ଆବଶ୍ୟକ ବୋଲି ହାଇକୋର୍ଟ କହିଥିଲେ। ଗତ ୨୪ରେ ଏହାର ଶୁଣାଣି କରି ହାଇକୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏହାସହ ରାୟର ଏକ ନକଲ ପୋଲିସ ମହାନିର୍ଦ୍ଦେଶକ ଓ ଗୃହ ସଚିବଙ୍କ ନିକଟକୁ ପଠାଇବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହାଇକୋର୍ଟଙ୍କ ଏହି ରାୟ ସାର୍ବଜନୀନ ହୋଇନାହିଁ।