୨୦୦୫ରେ ସୂଚନା ଅଧିକାର (ଆର୍ଟିଆଇ)ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହେଲା। ଭାରତ ଭଳି ଏକ ବିରାଟ ଗଣତାନ୍ତ୍ରିକ ଦେଶ ପାଇଁ ଏହା ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସବୁ ଶ୍ରେଣୀରେ ସ୍ବୀକାର କରାଗଲା। ଏହି ଆଇନ ବଳରେ ସାଧାରଣ ନାଗରିକ ତାଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିଜେ ସହଜରେ ଖୋଜି ବାହାର କରିବାରେ ସୁଯୋଗ ପାଇଲେ। ଯଦି କୌଣସି ସରକାରୀ କର୍ମଚାରୀ କିମ୍ବା ସରକାରଙ୍କ ସହିତ ସମ୍ପୃକ୍ତ ସଂସ୍ଥା ତାଙ୍କର ସ୍ବାଭାବିକ କାର୍ଯ୍ୟକୁ ଅତିମାତ୍ରାରେ ବିଳମ୍ବିତ କଲେ କିମ୍ବା ନିଷ୍ପତ୍ତି ବା ଫଳାଫଳ ଜଣାଇଲେ ନାହିଁ, ତେବେ ଯେକୌଣସି ନାଗରିକ ଏହି ଆଇନ ମାଧ୍ୟମରେ ବିଳମ୍ବ କିମ୍ବା ହେଳାର କାରଣ ବୁଝିବାରେ ସକ୍ଷମ ହେଲେ। ଦେଖିବାକୁ ଗଲେ ୨୦୦୫ ମସିହାଠାରୁ ଆଜି ପର୍ଯ୍ୟନ୍ତ ଭାରତରେ ଯେତେ ଆଇନ ସୃଷ୍ଟି କରାଯାଇଛି ତନ୍ମଧ୍ୟରୁ ସୂଚନା ଅଧିକାର ବା ରାଇଟ ଟୁ ଇନ୍ଫରମେଶନ(ଆରଟିଆଇ) ଆଇନ ସାଧାରଣ ଭାରତୀୟଙ୍କ ଜୀବନରେ ସୁବଠାରୁ ବଡ଼ ପରିବର୍ତ୍ତନ ଆଣିପାରିଛି।
ଅବଶ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ, ଏହି ଆଇନର ଅପବ୍ୟବହାର କରିବା ପାଇଁ ତଥାକଥିତ ‘ସୂଚନା ଅଧିକାର କର୍ମୀ’ କୁଆଡୁ କେଜାଣି ଦେଶସାରା ଜନ୍ମ ନେଲେ। ଏହି ଆଇନର ଅପବ୍ୟବହାର କରି ବିଭିନ୍ନ ତଥ୍ୟ ପଚାରିବା ଫଳରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଲା। ଅନ୍ୟପଟେ ମନଇଚ୍ଛା ପ୍ରଶ୍ନ ପଚାରି ଏହି ଆଇନକୁ ଅପବ୍ୟବହାର କରୁଥିବା ବ୍ୟକ୍ତିମାନେ ପାଇଥିବା ତଥ୍ୟ ସାଧାରଣରେ ପ୍ରଚାର କରାଇଲେ ନାହିଁ। ଏହା ଫଳରେ ଅନେକଙ୍କ ମନରେ ପ୍ରଶ୍ନ ଉପୁଜିଲା ଯେ, ଏଭଳି ତଥ୍ୟ ଏକାଠି କରି କେତେକ ବ୍ୟକ୍ତି ଅଧିକାରୀମାନଙ୍କୁ ଭୟଭୀତ ଏବଂ ବ୍ଲାକ୍ମେଲ କରାଇପାରୁଛନ୍ତି। ଏହି ଧାରଣା କ୍ରମଶଃ ବୃଦ୍ଧି ପାଇବା ଫଳରେ ସରକାରୀ ବ୍ୟବସ୍ଥା ଭିତରେ ସୂଚନା ଅଧିକାର ଆଇନ ପ୍ରତି ବିରୋଧ ବଢ଼ିବାରେ ଲାଗିଲା। ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟ ସୂଚନା କମିଶନଗୁଡ଼ିକରେ ଅଧିକାରୀ ନିଯୁକ୍ତିରେ ଅବହେଳା ଯୋଗୁ ଲୋକମାନେ ଆବଶ୍ୟକ ତଥ୍ୟ ପାଇପାରୁନାହାନ୍ତି। ଏବେ ସୁପ୍ରିମକୋର୍ଟଙ୍କ ଆର୍ଟିଆଇ ସମ୍ପର୍କିତ କଥା ଆଲୋଚନାର ବିଷୟ ପାଲଟିଛି। ୩୦ ଅକ୍ଟୋବରରେ ଆର୍ଟିଆଇ କର୍ମୀ ଅଞ୍ଜଳି ଭରଦ୍ୱାଜଙ୍କ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରୀୟ ସୂଚନା କମିଶନ(ସିିଆଇସି) ଓ ରାଜ୍ୟ ସୂଚନା କମିଶନ(ଏସ୍ଆଇସି)ଗୁଡ଼ିକରେ ଖାଲିଥିବା ପଦବୀ ପୂରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି। ଏ କଥା ମଧ୍ୟ ସତର୍କ କରିଦେଇଛନ୍ତି ଯେ, ଏଭଳି ଅବ୍ୟବସ୍ଥା ଲାଗି ରହିଲେ ଆର୍ଟିଆଇ ଏକ ‘ମୃତପତ୍ର ଆଇନ’ ପାଲଟିଯିବ। କେବଳ ଏତିକି ନୁହେଁ, ଖାଲିିଥିବା ମୋଟ ପଦବୀ ସଂଖ୍ୟା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଆରଟିଆଇକୁ ସୁଚାରୁ ରୂପେ କାର୍ଯ୍ୟକ୍ଷମ କରାଇବାରେ ସରକାର ଇଚ୍ଛୁକ ନୁହନ୍ତି। ଭାରତରେ ୨୦୦୫ରୁ ଏପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ୱ ଆର୍ଟିଆଇ କର୍ମୀଙ୍କୁ ହତ୍ୟା କରାଯିବା ସହ ୧୮୨ ଜଣଙ୍କୁ ଆକ୍ରମଣ କରାଯାଇଛି ଏବଂ ୧୮୮ଙ୍କୁ ନିର୍ଯାତନା କିମ୍ବା ଧମକ ଦିଆଯାଇଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଏବେ ସୁଦ୍ଧା ଦେଶରେ ସମସ୍ତ କମିଶନରେ ମୋଟ ୩.୨ ଲକ୍ଷ ଆବେଦନ ଓ ଅଭିଯୋଗ ପଡ଼ିରହିଛି। କମିଶନର ନିଯୁକ୍ତ ହୋଇ ନ ଥିବାରୁ ଝାଡ଼ଖଣ୍ଡ, ତେଲଙ୍ଗାନା, ମିଜୋରାମ ଏବଂ ତ୍ରିପୁରାର ଚାରିଟି କମିଶନ କାର୍ଯ୍ୟକ୍ଷମ ହୋଇପାରିନାହିଁ। ମଣିପୁର, ଛତିଶଗଡ, ମହାରାଷ୍ଟ୍ର, ବିହାରର ରାଜ୍ୟ କମିଶନର କେହି ନାହାନ୍ତି। କେନ୍ଦ୍ରରେ ଭାଜପା ସରକାର ୨୦୧୯ରେ ଏହି ଆଇନରେ ଅନେକ ସଂଶୋଧନ କରି ଏହାକୁ ଏକ ପ୍ରକାର ଦୁର୍ବଳ କରିଦେଇଛନ୍ତି।
ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ନାଗରିକ ବିିରୋଧୀ ପାଲଟିଛି। ଉଦାହରଣ ସ୍ବରୂପ, ଅକ୍ଟୋବର ୩୦ରେ ମଧ୍ୟ ସୁପ୍ରିମକୋର୍ଟରେ କେନ୍ଦ୍ର ତରଫରୁ ଆଟର୍ନି ଜେନେରାଲ ଏକ ମାମଲାରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ସାଧାରଣ ନାଗରିକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାର ଆବଶ୍ୟକତା ନାହିଁ। ମାମଲାଟି ଥିଲା ରାଜନୈତିକ ଦଳମାନଙ୍କୁ ଲୁକ୍କାୟିତ ଭାବେ ମିଳୁଥିବା ପ୍ରବଳ ମାତ୍ରାର ଅଙ୍କ, ଯାହାକି ‘ଇଲେକ୍ଟୋରାଲ ବଣ୍ଡ’ ମୁଖାପିନ୍ଧି ଏପାଖ ସେପାଖ ହେଉଛି। ସମ୍ବିଧାନର ୧୯-୧(ଏ) ଧାରାକୁ ଦର୍ଶାଇ ଆଟର୍ନି ଜେନେରାଲ ଏଭଳି କହିଛନ୍ତି। ୨୦୧୮ରେ ଲାଗୁ କରାଯାଇଥିବା ନିର୍ବାଚନ ବଣ୍ଡ୍ ଗୁପ୍ତରେ ରାଜନୈତିକ ଦଳଗୁଡ଼ିକୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଡ଼ କରିବାକୁ ଅନୁମତି ଦେଇଛି। ବଣ୍ଡ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଓ ନିର୍ବାଚନ କମିଶନ ବିରୋଧ କରିଥିଲେ ମଧ୍ୟ ମୋଦି ସରକାର ତାହାକୁ ଗ୍ରହଣ କରି ନ ଥିଲେ। ବଣ୍ଡ୍କୁ ଆର୍ବିଆଇର ବିରୋଧ ଏବଂ ଏହାର ଗଣତାନ୍ତ୍ରିକ ସ୍ବଚ୍ଛତା ଉପରେ ଗମ୍ଭୀର ସମସ୍ୟାଭିତ୍ତିକ ପ୍ରଶ୍ନ ଉଠିବା ପରେ ୨୦୧୭ରେ ଏହା ବିରୋଧରେ ଦାଏର ପିଟିଶନ ଉପରେ ସାମ୍ବିଧାନିକ ଖଣ୍ଡପୀଠ ବିଚାର ଆରମ୍ଭ କରିଛନ୍ତି। ଏଠାରେ ଅନ୍ୟ ଗଣତାନ୍ତ୍ରିକ ଦେଶର ଉଦାହରଣ ଦେଖିବାକୁ ଗଲେ ଆମେରିକାର ରାଜନୈତିକ ଦଳମାନଙ୍କୁ ମିଳୁଥିବା ପ୍ରତ୍ୟେକ ଡଲାରର ହିସାବ ସାଧାରଣରେ ଜଣାଇବା ବାଧ୍ୟବାଧକତାମୂଳକ।
ଅନ୍ୟପକ୍ଷରେ କୌତୂହଳର ବିଷୟ ହେଉଛି ଯେ, ଭାରତ ସରକାରଙ୍କ ତରଫରୁ ନିଜ ଦେଶର ନାଗରିକଙ୍କ ପାଇଁ ସ୍ବଚ୍ଛତା ଅବଲମ୍ବନ କରିବାକୁ କୌଣସି ଇଚ୍ଛା ନ ଥିବାବେଳେ ଇଣ୍ଟରନେଟରେ ଡାର୍କ ଓ୍ବେବ୍ରେ ପିଡବ୍ଲ୍ୟୁଏନ୍୦୦୦୧ ଛଦ୍ମ ନାମରେ ପରିଚିତ ବ୍ୟକ୍ତି ବା ସଂସ୍ଥା ଘୋଷଣା କରିଛି ଯେ, ତାହା ପାଖରେ ୮୧୫ ନିୟୁତ ଭାରତୀୟଙ୍କ ଆଧାର ଏବଂ ପାସ୍ପୋର୍ଟ ତଥ୍ୟ ମହଜୁଦ ଅଛି। ଏହି ବରାଟକାୟ ସଂଖ୍ୟା ନାଗରିକଙ୍କର ସବୁ ଅନ୍ତରଙ୍ଗ ତଥ୍ୟ ବିକିବା ପାଇଁ ମାତ୍ର ୮୦,୦୦୦ ଆମେରିକୀୟ ଡଲାର ମୂଲ୍ୟ ଏହି ପିଡବ୍ଲ୍ୟୁଏନ୍୦୦୦୧ ଘୋଷଣା କରିଛି। ଏଥିରୁ ବୁଝିବାକୁ ହେବ ଯେ, ଆଧାର ତଥ୍ୟକୁ ସୁରକ୍ଷିତ ରଖିବାରେ ବିଫଳ କେନ୍ଦ୍ର ସରକାର ନିଜର ନାଗରିକଙ୍କ ସୁରକ୍ଷା କରିପାରୁନାହିଁ। କିନ୍ତୁ ରାଜନୈତିକ ଅର୍ଥ ନେଣଦେଣକୁ ଗୋପନୀୟ ରଖି ନେତାମାନେ କଳାଧନର ପ୍ରାୟୋଜକ ଏବଂ ସୃଷ୍ଟିକର୍ତ୍ତାକୁ ସୁରକ୍ଷିତ ରଖିବା ସହିତ ନିଜର ବେଆଇନ ସମ୍ପତ୍ତି ସମ୍ପର୍କରେ ଦେଶବାସୀଙ୍କୁ ଅନ୍ଧାରରେ ରଖିପାରୁଛନ୍ତି। ସେପଟେ ଦୁଆର ମେଲା, ଏପଟେ ବନ୍ଦ।