ସେଲ୍ସମ୍ୟାନ୍‌ରୁ ସେଲିବ୍ରିଟି: ୨.୪୪ କୋଟିରୁ ଅଧିକ ମୂଲ୍ୟର ରେଞ୍ଜ ରୋଭର୍‌ କିଣି ଚର୍ଚ୍ଚାରେ ଫୈଜଲ ଶେଖ୍‌

ବମ୍ବେ: ସେଲ୍ସମ୍ୟାନ୍‌ରୁ ସୋସିଆଲ ମିଡିଆ ଷ୍ଟାର। ଆଉ ଏବେ ଜୀବନରେ ଯୋଡ଼ି ହୋଇ ଚାଲିଛି ସଫଳତାର ନୂଆ ନୂଆ ଫର୍ଦ୍ଦ। ଆମେ କଥା ହେଉଛୁ ଫୈଜଲ ଶେଖ୍‌ଙ୍କ ବିଷୟରେ। ଇନ୍‌ଷ୍ଟ୍ରାଗ୍ରାମରେ ତାଙ୍କର ୨୧.୮ ମିଲିୟନ୍‌ ଫଲୋଅର୍ସ ରହିଛି। ସେ ସଲମାନ୍‌ ଖାନ୍‌, ରଣବୀର ସିଂହ, ବିରାଟ କୋହଲିଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟିଙ୍କୁ କଡ଼ା ଟକ୍କର ଦେଉଛନ୍ତି କହିଲେ ଚଳେ। ୨୬ ବର୍ଷୀୟ ଫୈଜଲ ଏବେ ଏକ ଦାମୀ ଗାଡ଼ି କିଣି ଚର୍ଚ୍ଚାରେ। ସେ ଏକ ଧଳା ରଙ୍ଗର ରେଞ୍ଜ ରୋଭର୍‌ କିଣିଛନ୍ତି। ଏହାର ଫଟୋ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ଚୁପ୍‌ଚାପ୍‌ କଠିନ ପରିଶ୍ରମ କର, ନିଜର ନୂଆ କାର୍‌କୁ ଚିତ୍କାର କରିବାକୁ ଦିଅ। ମୁଁ ଏହି ନୂଆ ଯୁବତୀଙ୍କ ପ୍ରେମରେ, ଯାହାକୁ ମୋର ନୂଆ କାର୍‌ କୁହାଯାଉଛି। ଏଥିରେ ଯାତ୍ରା ରୋମାଞ୍ଚକର ହେବ ବୋଲି ଆଶା ବୋଲି ପ୍ରଶଂସକଙ୍କ ସହ ନିଜ ଖୁସି ବାଣ୍ଟି ଫୈଜଲ କହିଛନ୍ତି। ତେବେ ଏହି ଗାଡ଼ିର ମୂଲ୍ୟ ୨.୪୪ କୋଟିରୁ ୪.୮୫ କୋଟି ଭିତରେ ହେବ ବୋଲି କୁହାଯାଉଛି।

ଫୈଜଲଙ୍କ ଜୀବନଯାତ୍ରା କିଛି ଏଭଳି। ସେ ଜଣେ ସାଧାରଣ ଯୁବକରୁ ସେଲିବ୍ରିଟି ପାଲଟିଛନ୍ତି। ଏକଦା ତାଙ୍କ ବାପା ମହିଳାଙ୍କ ନାଇଟିରେ ଏମ୍ରୋଡୋରୀ କାମ କରୁଥିଲେ। ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଫୈଜଲ ନିଜେ ଜଣେ ସେଲ୍ସମ୍ୟାନ୍‌ ଭାବେ କାମ କରୁଥିଲେ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ସେ ନିଜକୁ ପ୍ରମାଣିତ କରିଛନ୍ତି। ଟିକ୍‌ଟକ୍‌ରେ ତାଙ୍କୁ ବ୍ୟାନ୍‌ କରିଦିଆଯିବା

ପରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର ଲୋକପ୍ରିୟତା ବଢ଼ାଇଥିଲେ। ଏବେ ସେ ସୋସିଆଲ ମିଡିଆ ଷ୍ଟାର ପାଲଟିଛନ୍ତି।
ବ୍ୟକ୍ତିଗତ ଜୀବନ ଦେଖିଲେ ସେ ଟେଲିଭିଜନର ଶିଶୁ କଳାକାର ଜନ୍ନତ ଜୁବେର ରହମାନୀଙ୍କୁ ଡେଟ୍‌ କରୁଥିବା ନେଇ କୁହାଯାଉଛି। ହେଲେ ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି କୁହନ୍ତି।

Share