Posted inଫୁରସତ

ବିଶ୍ୱାସର ସାଥୀ ଡାକଘର

ଆଜିର ଦିନରେ ୧୯୨ ସଭ୍ୟ ରାଷ୍ଟ୍ର ଥିବା ଜାତିସଂଘର ଦ୍ୱିତୀୟ ସର୍ବପୁରାତନ ସଂସ୍ଥା ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ବା ‘ବିଶ୍ୱ ଡାକ ସଂଘ’ ୯ ଅକ୍ଟୋବର ୧୮୭୪ରେ ପ୍ରତିଷ୍ଠିତ ଯାହାର ମୁଖ୍ୟାଳୟ ସୁଇଜରଲାଣ୍ଡର ରାଜଧାନୀ ବର୍ନଠାରେ ଅବସ୍ଥିତ। ବିଶ୍ୱ ଡାକ କଂଗ୍ରେସର ୧୯୬୯ ଟୋକିଓ ଘୋଷଣାନାମା ଅନୁଯାୟୀ ବିଶ୍ୱ ଡାକ ସଂଘର ପ୍ରତିଷ୍ଠା ଦିବସ ୯ ଅକ୍ଟୋବରକୁ ଏହି ସଭ୍ୟ ରାଷ୍ଟ୍ରମାନେ ‘ବିଶ୍ୱ ଡାକ ଦିବସ’ ଭାବେ ପାଳନ କରିଥାନ୍ତି। ଭାରତୀୟ ଡାକ ପ୍ରତିବର୍ଷ ୯ ଅକ୍ଟୋବରରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ଡାକ ସପ୍ତାହ ପାଳନ କରେ। ଭାରତୀୟ ଡାକ ବିଭାଗ ଏବର୍ଷ ୧୦ରୁ ୧୩ ଅକ୍ଟୋବରକୁ ଯଥାକ୍ରମେ ବିତ୍ତୀୟ ସଶକ୍ତୀକରଣ ଦିବସ, ଫିଲାଟେଲି ଦିବସ, ମେଲ୍‌ ଓ ପାର୍ସଲ ଦିବସ ଏବଂ ଅନ୍ତ୍ୟୋଦୟ ଦିବସ ଭାବରେ ପାଳନ କରୁଛି। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗାଁର ଶାଖା ଡାକଘରୁ ଡାକ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ଏବଂ ମଣ୍ଡଳ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ଡାକ ବିଭାଗ ଯୋଗାଇଦେଉଥିବା ଡାକଘର ସ୍ପଳ୍ପ ସଞ୍ଚୟ ଯୋଜନା, ଡାକ ଜୀବନ ବୀମା, ବିଭିନ୍ନ ଲାଭଦାୟକ ଓ ଡିଜିଟାଲ ସେବା ଉପରେ ଜନ ସଚେତନତା ସୃଷ୍ଟି କରି ଡାକ ସେବାକୁ ଅଧିକ ଲୋକାଭିମୁଖୀ କରେଇବା ବିଶ୍ୱ ଡାକ ଦିବସ ଓ ଜାତୀୟ ଡାକ ସପ୍ତାହର ମୂଳ ଲକ୍ଷ୍ୟ।
ବିଶ୍ୱ ଡାକ ଦିବସର ବିଷୟବସ୍ତୁ ହେଉଛି, ”ବିଶ୍ବାସ ପାଇଁ ସାଥିରେ, ସୁରକ୍ଷିତ ଓ ସଂଯୁକ୍ତ ଭବିଷ୍ୟତ ଲାଗି ସହଯୋଗିତା“। କହିବା ବାହୁଲ୍ୟ ଯେ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ, ବ୍ୟବସାୟିକ, ସାମାଜିକ, ଅର୍ଥନୈତିକ ଓ ଡିଜିଟାଲ ସେବାର ଉପଲବ୍ଧ କରାଇ ଡାକଘର ସଂଯୋଗଶୀଳ, ସମନ୍ବିତ ଓ ସଂଯୁକ୍ତ ସମ୍ପ୍ରଦାୟ ପାଇଁ ଏକ ଆବଶ୍ୟକ କେନ୍ଦ୍ର ହିସାବରେ କାମ କରେ। ବିଶେଷ ଭାବେ ଅପହଞ୍ଚ ଅଞ୍ଚଳରେ ଏହା ଏକମାତ୍ର ଜନସେବା ପ୍ରଦାନକାରୀ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ। ପିଢ଼ି ପରେ ପିଢ଼ି ଡାକ କର୍ମଚାରୀମାନେ ଦୈନିକ ଦୁଆରେ ଦୁଆରେ ସେବା ପ୍ରଦାନ କରି ଜନସାଧାରଣଙ୍କର ଚିର ପରିଚିତ ତଥା ବିଶ୍ବାସଯୋଗ୍ୟ ବନ୍ଧୁ ହିସାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଶ୍ୱବାସୀଙ୍କର ଏହି ବିଶ୍ୱାସ ଓ ଭରସା ହିଁ ଶତାବ୍ଦୀ ଶତାବ୍ଦୀ ଧରି ଡାକଘରର ସଫଳତାର ମୂଳମନ୍ତ୍ର ହୋଇରହିଛି। ଆଜିର ଦିନରେ ବିଶ୍ୱର ୬.୫ ଲକ୍ଷ ଡାକଘରର ୫୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଖବର, ଚିଠି, ଉପହାର, ଅର୍ଥ, ଔଷଧପତ୍ର ଓ ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟ ଦେଣନେଣ କରି ସୁରକ୍ଷା ଓ ନିରାପତ୍ତାର ଦୃଢ଼ ପ୍ରତିଶ୍ରୁତି ବଳରେ ବିଶ୍ୱବାସୀଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି। ଉଭୟ କର୍ମଚାରୀ ଓ ସେବା ସମୂହର ସୁରକ୍ଷା ଓ ନିରାପତ୍ତା ପାଇଁ ଭାରତୀୟ ଡାକ ସହ ବିଶ୍ୱର ସମସ୍ତ ଡାକ ସଂସ୍ଥା ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ।

ବିଶେଷ ଭାବେ, ଯୁଦ୍ଧ ଓ ମହାମାରୀ ଭଳି ଆକସ୍ମିକ ବିପତ୍ତି ସମୟରେ ବିଶ୍ୱର ସମସ୍ତ ଡାକ ସଂସ୍ଥାର କର୍ମଚାରୀମାନେ ସର୍ବାଗ୍ରେ ସହଯୋଗର ହାତ ବଢ଼ାଇଥା’ନ୍ତି। ସମୁଦ୍ର ପତ୍ତନଠାରୁ ୪୪୪୦ ମିଟର ଉଚ୍ଚରେ ସିକିମ୍‌ଠାରେ ବିଶ୍ୱର ସର୍ବୋଚ୍ଚ ଡାକଘରଠାରୁ ପ୍ରଶାନ୍ତ ମହାସାଗରର ହାଇଡୱେରେ ବିଶ୍ୱର ପ୍ରଥମ ପାଣିତଳ ଡାକଘର ପର୍ଯ୍ୟନ୍ତ ଏବଂ ଚିର ବରଫାବୃତ୍ତ ଆଣ୍ଟାର୍କଟିକାର ପୋର୍ଟଲକରୁ ଶ୍ରୀନଗରର ଡାଲ୍‌ ହ୍ରଦରେ ଥିବା ଭାସମାନ ଡାକଘର ପର୍ଯ୍ୟନ୍ତ ସବୁ ଡାକଘର ସର୍ବତ୍ର କରୋନା ମହାମାରୀ ସମୟରେ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।

ଉଦାହରଣ ସ୍ବରୂପ, ଆୟର୍ଲାଣ୍ଡ ଡାକ ବିଭାଗ ବୟସ୍କ ଓ ସଂକ୍ରମିତଙ୍କ ପରୀକ୍ଷଣ କରେଇ ପୋଷ୍ଟମ୍ୟାନମାନଙ୍କ ଜରିଆରେ ଔଷଧପତ୍ର ବିତରଣ କରିଥିଲା ବେଳେ ଟ୍ୟୁନିସିଆ ଡାକ ବିଭାଗ ପେନ୍‌ସନଭୋଗୀଙ୍କ ନିକଟରେ ସେମାନଙ୍କ ପେନ୍‌ସନ୍‌ ରାଶି ପହଞ୍ଚେଇଥିଲା। ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ବାଂଲାଦେଶ ଡାକ ବିଭାଗ, ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ କର୍ମୀ ଓ ଜନସମୁଦାୟଙ୍କ ପାଖରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ତଥା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ କୋଭିଡ୍‌ ପରୀକ୍ଷଣ ସରଞ୍ଜାମ ପହଞ୍ଚେଇଥିଲା ବେଳେ କେନିଆ ଓ ଚେକୋସ୍ଲୋଭାକିଆ ଭଳି ରାଷ୍ଟ୍ରର ଡାକଘରଗୁଡିକ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କୁ ଖାଦ୍ୟପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲେ। ଉଲ୍ଲେଖଯୋଗ୍ୟ ଯେ ୧.୫୯ ଲକ୍ଷ ଡାକଘର ସହ ୫ ଲକ୍ଷ କର୍ମଚାରୀଙ୍କୁ ନେଇ ସାଧାରଣ ସମୟରେ ଦିନକୁ ହାରାହାରି ୨୫ ହଜାର କିଲୋମିଟର ଯାତାୟାତ ସହ ୭୫ ଟନ୍‌ରୁ ଅଧିକ ଚିଠିପତ୍ର ଓ ପାର୍ସଲ ବାଣ୍ଟୁଥିବା ବିଶ୍ୱର ସର୍ବବୃହତ୍‌ ଡାକ ସଂସ୍ଥା ଭାରତୀୟ ଡାକ, ତାଲାବନ୍ଦର ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ୨୦୦୦ ଟନ୍‌ରୁ ଅଧିକ ଓଜନର ଔଷଧପତ୍ର ଓ ସ୍ବାସ୍ଥ୍ୟସେବା ଉପକରଣ ବିତରଣ କରିଥିଲା। ଖାଲି ସେତିକି ନୁହେଁ, ଡିଜିଟାଲ ସାମର୍ଥ୍ୟର ସୁଯୋଗ ନେଇ ବିଶ୍ୱର ଅଧିକାଂଶ ଡାକ ବିଭାଗ ଦୁଆରମୁହଁରେ ଟଙ୍କା ସହ ବିଭିନ୍ନ ସେବା ଯୋଗାଇଦେବାରେ ସକ୍ଷମ ହୋଇଛିି। ମହାମାରୀ ସମୟରେ ଅହର୍ନିଶ ନିରବଚ୍ଛିନ୍ନ ସେବା ପ୍ରଦାନ କରି ବିଶ୍ୱର ପ୍ରତ୍ୟେକ ଡାକ ସଂସ୍ଥା ଜନମାନସରେ ସେମାନଙ୍କର ବିଶ୍ୱାସ ଓ ଭରସାକୁ ବହୁଗୁଣିତ କରିଛନ୍ତି।

ସହ ଡାକଘରର ଏହି ବିଶ୍ୱାସ ଓ ଭରସାଯୋଗ୍ୟ ସମ୍ପର୍କକୁ ଆହୁରି ଦୃଢୀଭୂତ କରି ଗଢ଼ିତୋଳିବା ଉଦ୍ଦେଶ୍ୟରେ ବିଶ୍ୱର ସମସ୍ତ ଡାକ ସଂସ୍ଥା ସେମାନଙ୍କର ବ୍ୟାପକ ଭୌତିକ ଡାକ ବ୍ୟବସ୍ଥାକୁ ଏକ ବିଶାଳ ଡିଜିଟାଲ କ୍ଷେତ୍ରରେ ରୂପାନ୍ତରଣ କରିବା ପାଇଁ ଅହରହ ଚେଷ୍ଟିତ।

ପ୍ରତ୍ୟେକ ଦିନ ବିଶ୍ୱର ଅନୂ୍ୟନ ୮୦ କୋଟି ଲୋକଙ୍କ ପାଖରେ ନିରାପଦ ଓ ସୁରକ୍ଷିତ ଡାକସେବା ପହଞ୍ଚାଉଥିବା ୬.୫ ଲକ୍ଷ ଡାକଘର ମଧ୍ୟରୁ ପାଖାପାଖି ୧ଲକ୍ଷ ଡାକଘରେ ଆବଶ୍ୟକ ଇଣ୍ଟରନେଟ ସୁବିଧା ଉପଲବ୍ଧ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଲୋକେ ଶାରୀରିକ ଓ ହସ୍ତକୃତ ସେବାରୁ ମୁହଁ ବୁଲେଇ ସୁରକ୍ଷିତ ଓ ନିରାପଦ ଡିଜିଟାଲ ସେବା ପ୍ରାପ୍ତି ପାଇଁ ବେଶି ତତ୍ପର। ତେଣୁ ସମ୍ପୂର୍ଣ୍ଣ ଡିଜିଟାଲ ରୂପାନ୍ତରଣ ପାଇଁ ବିଶ୍ୱ ଡାକ ସଂସ୍ଥା ‘କନେକ୍ଟ ଡଟ୍‌ ପୋଷ୍ଟ’ ଜରିଆରେ ୨୦୩୦ ସୁଦ୍ଧା ସମସ୍ତ ଡାକଘରକୁ ଇଣ୍ଟରନେଟ ସୁବିଧା ଉପଲବ୍ଧ କରେଇବା ପାଇଁ ପ୍ରୟାସ ଜାରି ରଖିଛି। କେବଳ ସେତିକି ନୁହେଁ, ବିଶ୍ୱର ସମସ୍ତ ଛୋଟ ବଡ଼ ଡାକ ସଂସ୍ଥା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଲୋକଙ୍କୁ ସୁହାଇଲା ଭଳି ସମସ୍ତ ଇ-କମର୍ସ, ଇ-ଗଭର୍ନମେଣ୍ଟ ଓ ଇ-ଫାଇନାନ୍ସ ସେବା କିଭଳି ଯୋଗାଇଦେବେ, ସେଥିପାଇଁ ମଧ୍ୟ ବିଶ୍ୱ ଡାକ ସଂସ୍ଥା କାର୍ଯ୍ୟରତ। ଏହି ପରିପ୍ରେକ୍ଷୀରେ ବିଶ୍ୱ ଡାକ ସଂସ୍ଥାର ୨୦୨୩ ବିଶ୍ୱ ଡାକ ଦିବସରେ ‘ବିଶ୍ୱାସ ପାଇଁ ସାଥିରେ’ ଡାକରା, ଡିଜିଟାଲ ରୂପାନ୍ତରଣ ପାଇଁ ଅକୁଣ୍ଠ ସହଯୋଗ ପ୍ରଦାନ କରି ସମସ୍ତ ଭୌତିକ ଡାକ ବ୍ୟବସ୍ଥାକୁ ଏକକ ଡିଜିଟାଲ ଡାକ କ୍ଷେତ୍ରରେ ପରିଣତ କରିବାକୁ ବିଶ୍ୱର ସମସ୍ତ ସରକାର ଓ ସେମାନଙ୍କର ଡାକ ସଂସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ।
-ବୃହସ୍ପତି ସାମଲ


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri