ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସର ସଂଜ୍ଞା ଧାର୍ମିକ ଭାବନାରେ କେବଳ ମାନସିକତା ଉପରେ ପର୍ଯ୍ୟବସିତ। କିନ୍ତୁ ସାମାଜିକ ସ୍ତରରେ ବିଶ୍ବାସ ସର୍ବଦା ସତ୍ୟ ଓ ପ୍ରମାଣ ଉପରେ ଆଧାରିତ ହୋଇଥାଏ। କୌଣସି ଘଟଣା ବା ବ୍ୟାପାର ସପକ୍ଷରେ ଚାକ୍ଷୁଷ ପ୍ରମାଣ ଓ ଲିଖିତ ଦସ୍ତାବିଜ ଥିଲେ ତାହାକୁ ବିଶ୍ବସନୀୟ ଭାବେ ଗ୍ରହଣ କରାଯାଏ। ଆମ ବିଚାର ବ୍ୟବସ୍ଥାରେ ମଧ୍ୟ ଏହି ଆଧାରରେ ମାମଲାର ଫଇସଲା କରାଯାଏ। ଯଦି ଚାକ୍ଷୁଷ ପ୍ରମାଣ ଏବଂ ଲିଖିତ ଦସ୍ତାବିଜ ବା ଉଭୟରେ କୌଣସି ପାରସ୍ପରିକ ଅସଙ୍ଗତି ପରିଲକ୍ଷିତ ହୁଏ ତେବେ ତାହା ଅବିଶ୍ବସନୀୟ ଭାବେ ଗୃହୀତ ହୋଇଥାଏ। ମାମଲାଟି ମଧ୍ୟ ମିଥ୍ୟା ତଥ୍ୟ ଆଧାରିତ ବୋଲି ବିଚାରରେ ସାବ୍ୟସ୍ତ ହୋଇଥାଏ। କିନ୍ତୁ କୌଣସି ତଥ୍ୟ ସମ୍ପର୍କରେ ଚାକ୍ଷୁଷ ବା ଲିଖିତ ପ୍ରମାଣ ନ ଥାଇ କେବଳ ମିଥ୍ୟା ଏବଂ ପ୍ରଭାବିତ କଲାପରି ସମ୍ବେଦନଶୀଳ କଥା ଚାତୁର୍ଯ୍ୟ ଏବଂ କାକତାଳିକ ଉଦାହରଣ ମାଧ୍ୟମରେ ଯଦି ବିଶ୍ୱାସ ସୃଷ୍ଟି କରାଯାଏ, ତେବେ ତାହା ଅନ୍ଧବିଶ୍ୱାସ ପଦବାଚ୍ୟ ହୋଇଥାଏ। ଏହା ବ୍ୟକ୍ତି ବା ସମାଜକୁ ସାମୟିକ ଆଶ୍ବସ୍ତ କରିପାରେ କିନ୍ତୁ ସମୟକ୍ରମେ ଏହାର ସ୍ରଷ୍ଟା ବା ପ୍ରବକ୍ତା ସାମାଜିକ ନିନ୍ଦା ସହ ଆଇନ ଜାଲରେ ଛନ୍ଦି ହେବାର ସମ୍ଭାବନା ରହିଥାଏ। ସାମ୍ପ୍ରତିକ ସ୍ଥିତିରେ ପ୍ରତି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ ଓଡ଼ିଶାର ମଉଡମଣି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ସମ୍ପର୍କରେ ଭକ୍ତଙ୍କ ବିଶ୍ବାସରେ ଅନ୍ଧବିଶ୍ୱାସକୁ ସଂଶ୍ଳିଷ୍ଟ କରାଯାଉଥିବା ଏବଂ ଅବିଶ୍ବସନୀୟ ତଥ୍ୟ ବ୍ୟାପକ ହେଉଥିବାରୁ ତାହା ଭକ୍ତଙ୍କ ଭାବନାକୁ ଭାରାକ୍ରାନ୍ତ କରିଚାଲିଛି।
କିଛି ବର୍ଷ ହେଲା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ଭଣ୍ଡାରରକ୍ଷକ ଭାବେ ଶ୍ରୀଲୋକନାଥ ରହିଥିବା ଜନଶ୍ରୁତି ରହିଛି। ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଆୟବ୍ୟୟ ମଧ୍ୟ ଶ୍ରୀଜମ୍ବେଶ୍ୱର ମହାଦେବଙ୍କ ଦ୍ୱାରା ତନଖିର ଧାର୍ମିକ ପରମ୍ପରା ରହିଛି। ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଗଜପତିଙ୍କ ଦାୟିତ୍ୱରେ ଥିଲା। କିନ୍ତୁ ଶ୍ରୀମନ୍ଦିରର ଦାୟିତ୍ୱ ସରକାରଙ୍କ ନିୟନ୍ତ୍ରଣକୁ ଯିବା ପରେ ଧର୍ମୀୟ ପରମ୍ପରାରେ ଆଇନଗତ ବ୍ୟବସ୍ଥା ଯୋଡ଼ି ହୋଇଗଲା। ପରବର୍ତ୍ତୀ ସମୟରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଶ୍ରୀମନ୍ଦିରକୁ ପୁରାତନ କୀର୍ତ୍ତିରାଜି ଭାବେ ଘୋଷଣା କରିବାରୁ ଶ୍ରୀମନ୍ଦିର ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ନିର୍ମାଣର ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଗଲା । ମାତ୍ର ଶ୍ରୀଜୀଉମାନଙ୍କର ପ୍ରତ୍ୟେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ଶ୍ରୀମନ୍ଦିରସ୍ଥ ଭିତର ଓ ବାହାର ରତ୍ନଭଣ୍ଡାରରେ ଗଚ୍ଛିତ ସ୍ବର୍ଣ୍ଣ ରତ୍ନର ବ୍ୟବସ୍ଥିତ ରକ୍ଷଣାବେକ୍ଷଣ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଦାୟିତ୍ୱ ହୋଇଗଲା। ଏହା ନିର୍ବିବାଦୀୟ ସତ୍ୟ ଯେ ପ୍ରତ୍ୟେକ ଗୃହର ସ୍ଥାୟିତ୍ୱ ପାଇଁ ସମୟ ଭିତ୍ତିକ ମରାମତିରୁ ଶ୍ରୀମନ୍ଦିରର ବ୍ୟବସ୍ଥା ଅଲଗା ନୁହେଁ କିମ୍ବା ସରକାରୀ ନିୟମାନୁଯାୟୀ ତାଙ୍କର ନିୟନ୍ତ୍ରଣାଧୀନ ପ୍ରତ୍ୟେକ ଅସ୍ଥାବର ସମ୍ପତ୍ତିର ସମୟଭିତ୍ତିକ ତନଖିରୁ ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ବି ଅଲଗା ନୁହେଁ। ୪୫ ବର୍ଷ ପୂର୍ବରୁ ଗତ ୧୯୭୮ ମସିହାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାରର ଗଣନା କରାଯାଇଥିବାରୁ ପୁନଶ୍ଚ ତା’ର ତନଖି ଅନାବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇଛି। କିନ୍ତୁ ୧୯୯୦ ଦଶକର ଶେଷାର୍ଦ୍ଧରେ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସ୍ବର୍ଣ୍ଣ ଶ୍ରୀବଳଭଦ୍ରଙ୍କ ରତ୍ନ ଚିତା ଓ ମହାଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ମୁକୁଟ ମରାମତି ପାଇଁ ଅଣାଯାଇଥିବା ଶ୍ରୀମନ୍ଦିର ପ୍ରଶାସନର ପୂର୍ବତନ ପ୍ରଶାସକ ବିଭିନ୍ନ ଗଣମାଧ୍ୟମରେ ବିବୃତି ଦେଇଥିବାରୁ ୧୯୭୮ ମସିହାର ଜମାରେ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ହେଉଛି। ଜଣେ ସାମାଜିକ କର୍ମୀ ରତ୍ନଭଣ୍ଡାର ଖୋଲିବା ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାସହ ୨୦୦୯ ମସିହାର ଦୁଇଟି ତାରିଖ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରି ଉକ୍ତ ଦିନ ଦ୍ବୟରେ ରତ୍ନଭଣ୍ଡାରରୁ ସ୍ବର୍ଣ୍ଣାଦି ଅଳଙ୍କାର ସ୍ଥାନାନ୍ତର ହୋଇଥିବାର ସେ ଦ୍ରଷ୍ଟା ଏବଂ ତାହା ମିଥ୍ୟା ପ୍ରମାଣିତ ହେଲେ ସେ ଯେକୌଣସି ଦଣ୍ଡ ଭୋଗିବାକୁ ବଚନବଦ୍ଧ ବୋଲି ବିଭିନ୍ନ ଗଣମାଧ୍ୟମରେ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି। ତାଙ୍କର ଉକ୍ତି ମିଥ୍ୟା ପ୍ରମାଣିତ କରିବାକୁ ସେ ରତ୍ନଭଣ୍ଡାର ତନଖି ପାଇଁ ଆହ୍ବାନ ମଧ୍ୟ ଦେଉଛନ୍ତି। ଭାରତୀୟ ସର୍ବେକ୍ଷଣ ସଂସ୍ଥା ମଧ୍ୟ ଭିତର ରତ୍ନଭଣ୍ଡାରର ସ୍ଥିତି ଭଲ ନ ଥିବାରୁ ତାହାକୁ ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ମାଗିଥିବା ଜଣାଯାଏ। ୨୦୧୮ ମସିହାରେ ଚାବି ନ ନେଇ ଜିଲାପାଳଙ୍କ ନେତୃତ୍ୱରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ସତନ୍ତ୍ର ୧୭ଜଣିଆ ଦଳ ମଧ୍ୟ ତାହାର ସ୍ଥିତି ଦୟନୀୟ ଥିବା ଜଣାଇଛନ୍ତି। ସେଥିପାଇଁ ଭିତର ରତ୍ନଭଣ୍ଡାରର ମରାମତି ଜରୁରୀ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ସ୍ଥିତି ଯାଞ୍ଚ ପାଇଁ ଆବେଦନ ଉପରେ ଅନୁମତି ନ ଦେବାରୁ ସତ୍ୟପାଠ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଉଚ୍ଚ ନ୍ୟାୟାଳୟଙ୍କର ଦୃଷ୍ଟି ଆକର୍ଷଣ କରିଛି। ଏଣୁ ଭିତର ରତ୍ନଭଣ୍ଡାରର ଦୁର୍ବଳ ଅବସ୍ଥା ଏବଂ ସୂଚନା ଅଧିକାର କର୍ମୀଙ୍କ ବୟାନ ଆଧାରରେ କୋଟି କୋଟି ଶ୍ରୀଜଗନ୍ନାଙ୍କ ଭକ୍ତ ଗଚ୍ଛିତ ରତ୍ନ ଅଳଙ୍କାରର ବାସ୍ତବ ସ୍ଥିତି ସମ୍ପର୍କରେ ଜାଣିବାକୁ ବ୍ୟଗ୍ର ଥିବାବେଳେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭିନ୍ନ ମୋଡ଼ ଦେବାକୁ କରୁଥିବା ପ୍ରୟାସ ସ୍ବତଃ ବିଶ୍ବାସ ଏବଂ ଅବିଶ୍ବାସର ବଳୟ ସୃଷ୍ଟି କରୁଛି । କିନ୍ତୁ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବିନା ଏହା ଖୋଲିବା ଅସମ୍ଭବ ଏବଂ ଯାହା ହେଉଛି ସବୁ ତାଙ୍କ ଇଚ୍ଛାରେ ବୋଲି ପ୍ରଚାର କରୁଛନ୍ତି।
ଅତୀତର ସବୁ ନୀତି ବିଭ୍ରାଟ ସହ ଗତ ନୀଳାଦ୍ରି ବିଜେଠାରୁ ୪୦ ଦିନ ପର୍ଯ୍ୟନ୍ତ ବନକଲାଗି ନୀତି ନ ହେବା, ଶ୍ରୀଜୀଉମାନେ ଅନେକ ରାତି ଅନିଦ୍ରା ସହ ବାରମ୍ବାର ଦୀର୍ଘ ସମୟ ଉପବାସ ରହିଥିବା ତର୍ଜମା କଲେ ଏହା କେବଳ ଅନ୍ଧବିଶ୍ୱାସ ସୃଷ୍ଟି ମାଧ୍ୟମରେ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଏଥିରେ ଦ୍ବିରୂକ୍ତି ନାହିଁ। ଜଣେ ଦଇତା ସେବକ ଶ୍ରୀଜୀଉମାନଙ୍କର ଗତ ଅଣସର ନୀତି ସମୟରେ ଭିତର ରତ୍ନଭଣ୍ଡାର ମଧ୍ୟରୁ ସାପର ଭୟଙ୍କର ଫୁତ୍କାର ଶୁଣିଥିବା ଦାବି କରୁଛନ୍ତି। କିନ୍ତୁ ସାପ ଯଦି ଥାଆନ୍ତି, ବିନା ଆଘାତ ବା ଆକ୍ରମଣ ଆଶଙ୍କାରେ ଫୁତକାର କରିବା ଏବଂ ସେହି ଶବ୍ଦ ଅନୂ୍ୟନ ୧୦ ଫୁଟ ନିରନ୍ଧ୍ର ପଥର କାନ୍ଥ ଭେଦକରି ଶୁଣାଯିବା ମଧ୍ୟ ସତ୍ୟକୁ ବାଟବଣା ପାଇଁ କପୋଳକଳ୍ପିତ ଓ ଅତିରଞ୍ଜିତ ଏଥିରେ ସନ୍ଦେହ ନାହିଁ। ତେଣୁ ବିଶ୍ୱାସ, ଅବିଶ୍ବାସ ଓ ଅନ୍ଧବିଶ୍ୱାସ ସହ ସମସ୍ତ ଉଦ୍ବେଗର ଅବସାନ ଏବଂ ସରକାରଙ୍କ ସ୍ବଚ୍ଛତା ପ୍ରକାଶ ପାଇଁ ରତ୍ନଭଣ୍ଡାର ଖୋଲାଯାଇ ସେଥିରେ ଗଚ୍ଛିତ ଅଳଙ୍କାର ପୂର୍ବ ତାଲିକା ସହ ମେଳକ ଏବଂ ଏମାର ମଠରୁ ଉଦ୍ଧାର ହୋଇଥିବା ରୁପା ଇଟାକୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିବେଚନା କରାଯାଇ ତାହାର ସୁରକ୍ଷା ନିମିତ୍ତ ଗୋଟିଏ ନୂତନ ବଜ୍ରପ୍ରକୋଷ୍ଠ ବା ଷ୍ଟ୍ରଙ୍ଗରୁମ୍ ତିଆରି କରାଯିବା ଜରୁରୀ ନୁହେଁ କି?