ରାଷ୍ଟ୍ରପତିଙ୍କ ପଛରେ ଛତା ଧରି ଛିଡ଼ା ହେଉଥିବା ବିଶ୍ୱସ୍ତ କଲେ କ୍ଷମତା ଦଖଲ…

କୋନାକ୍ରେ,୭।୯: ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ବିଦ୍ରୋହୀ ସୈନ୍ୟମାନେ କ୍ଷମତା ଦଖଲ କରିଛନ୍ତିି। ତେବେ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ନେଇ କୌଣସି ଘୋଷଣା କରାଯାଇ ନାହିଁ। ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା କଲୋନେଲ୍‌ ମମାଦି ଡୋମ୍ବୋୟା ଦେଶର ସମସ୍ତ ସୀମାକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୧୨ ବର୍ଷ ଧରି ମମାଦି ରାଷ୍ଟ୍ରପତି ଆଲ୍ଫା କୋଣ୍ଡେଙ୍କର ବିଶ୍ୱସ୍ତ ଭାବେ କାର୍ଯ୍ୟ କରୁଥିଲେ। ବହୁ ଫଟୋରେ ସେ କୋଣ୍ଡେଙ୍କ ପଛରେ ଛତା ଧରି ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି।

ସମ୍ପ୍ରତି କୋଣ୍ଡେଙ୍କୁ କୌଣସି ଗୁପ୍ତ ସ୍ଥାନରେ ଅଟକ ରଖାଯାଇଛି। ୨୦୧୦ରେ ପ୍ରଥମ କରି ଗିନିରେ ଲୋକତାନ୍ତ୍ରିକ ସରକାର ଗଠନ କରାଯାଇଥିଲା। ଏଥିରେ କୋଣ୍ଡେଙ୍କୁ ମମାଦି ଆବଶ୍ୟକ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ।

ମମାଦି ୨୦୧୦ ପୂର୍ବରୁ ବହୁ ବର୍ଷ ବୁର୍କିନା ଫାସୋରେ ବାସ କରୁଥିଲେ। ସେ ଆମେରିକା ଏବଂ ଫ୍ରାନ୍ସ ସୈନ୍ୟଙ୍କଠାରୁ କମାଣ୍ଡୋ ଟ୍ରେନିଂ ନେଇଛନ୍ତି। ଏବେ ଗିନିର ଶାସନ ତାଙ୍କ ହାତରେ ରହିଛି। ତେବେ ନୂଆ ସରକାର ଗଠନ ବିଷୟରେ ଖୁବ୍‌ ଶୀଘ୍ର ଘୋଷଣା କରାଯିବାର ସମ୍ଭାବନା ରହିଛି।

Share