ନନ୍ଦପୁର ବଜାରରେ ନକଲି ୫୦୦ ଟଙ୍କିଆ

ନନ୍ଦପୁର,୧୮।୧୨(ଶଙ୍କର ପୂଜାରୀ): ନନ୍ଦପୁର ବଜାରରେ ଗତ କିଛିଦିନ ହେଲା ନକଲି ୫୦୦ ଟଙ୍କିଆ ନୋଟ୍‌ କାରବାର ଚାଲିଛି। କିଛି ଗ୍ରାହକ ନକଲି ନୋଟ୍‌ ଆଣି ଆସୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ବିଶେଷକରି ଭିଡ଼ ଥିବା ପେଟ୍ରୋଲ ଟାଙ୍କି, କିରାଣି ଦୋକାନ, ଜଳଖିଆ ଦୋକାନ, ଔଷଧ ଦୋକାନ, ମୋବାଇଲ ମରାମତି ଦୋକାନକୁ ଯୁବତୀ ଯୁବକମାନେ ୧୦୦ ଟଙ୍କାର ସାମଗ୍ରୀ କିଣି ନକଲି ୫ଶହ ଟଙ୍କିଆ ଦେଉଥିବା କହିଛନ୍ତି। ବ୍ୟସ୍ତତା ଭିତରେ ଦୋକାନୀ ଉକ୍ତ ଟଙ୍କାକୁ ରଖି ବଳକା ଟଙ୍କା ଫେରସ୍ତ କରୁଥିବାବେଳେ କିଛି ସଚେତନ ଦୋକାନୀ ଜାଲି ନୋଟକୁ ଚିହ୍ନଟ କରି ନୋଟ ସମ୍ପର୍କରେ ପଚାରିବା ମାତ୍ରେ ଗ୍ରାହକ ବିଭିନ୍ନ ଆଳ ଦେଖାଇ ଚାଲି ଯାଉଥିବା ଅଭିଯୋଗ ହୋଇଛି। ଉକ୍ତ ଜାଲିନୋଟ ଅସଲି ନୋଟର ଅବିକଳ ନକଲ। ଭୁଲବଶତଃ ଏଭଳି ନୋଟ ରଖି ପଛରେ କୌଣସି ମାମଲାରେ ଜଡ଼ିତ ହେବା ଆଶଙ୍କା କରି ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଏବେ ଗାଁ ଗହଳିରୁ ପନିପରିବା, ଅଦା, ହଳଦୀ, ମାଣ୍ଡିଆ, ଧାନ କିଣିବାକୁ ବାହାର ରାଜ୍ୟ ବେପାରୀଙ୍କ ଭିଡ ଜମୁଛି। ସେମାନେ ନଗଦ ଟଙ୍କାରେ କାରବାର କରୁଥିବାରୁ ଉକ୍ତ ଟଙ୍କା ଦିଆନିଆ ଭିତରେ ନିରୀହ ଚାଷୀ ଓ ଗ୍ରାମବାସୀଙ୍କୁ ଠକି ଏଭଳି ନକଲି ନୋଟ ନନ୍ଦପୁର ବ୍ଲକ ଅଞ୍ଚଳକୁ ପ୍ରବେଶ କରାଉଥିବା ବୁଦ୍ଧିଜୀବୀ ସନ୍ଦେହ ପ୍ରକାଶ କରିଛନ୍ତି। ଲୋକେ ସଜାଗ ରହିବା ସହ ଏଭଳି ନୋଟଧାରୀଙ୍କ ସମ୍ପର୍କରେ ନିକଟସ୍ଥ ଥାନାରେ ସୂଚନା ଦେବାକୁ ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି।

Share