କୋକସରା,୨୨।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ନକଲି ବ୍ୟାଙ୍କ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମାଦେଇଛନ୍ତି। ସମ୍ପୃକ୍ତ ଯୁବକ ଜଣଙ୍କ ଖୋର୍ଦ୍ଧା ଜିଲାର ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ସମ୍ପୃକ୍ତ ଯୁବକ ନିଜକୁ ଏକ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବୋଲି ପରିଚୟ ଦେଇ କୋକସରା ବ୍ଲକ ଅଞ୍ଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଜେଣ୍ଟ ଭାବେ ନିଯୁକ୍ତ କରିଥିଲେ। ପରେ ଜିଲାର କୋକସରା, ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଜଣ ପିଛା ୨ ଲକ୍ଷ ଟଙ୍କା ଋଣ କରାଇଦେବାକୁ କହି ଜମାକାରୀଙ୍କଠାରୁ ୧୦ରୁ ୧୫ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ, କାଗଜପତ୍ର ବାବଦରେ ପ୍ରାୟ ଲକ୍ଷାଧିକ ଟଙ୍କା ଏଜେଣ୍ଟଙ୍କ ଜରିଆରେ ଆଦାୟ କରିଥିଲେ। ପରେ ସେ ଆଉ ଧରାଛୁଆ ଦେଇ ନ ଥିଲେ। ଫୋନ କଲେ ଆଜି ହେବ କାଲି ହେବ କହି ଦିନ ଗଡାଇ ଚାଲିଥିଲେ। ହେଲେ ଜମାକାରୀମାନେ ଠକାମୀର ଶିକାର ହୋଇଥିବା ଜାଣି ଏଜେଣ୍ଟଙ୍କୁ ମାଡି ବସିଥିଲେ। ଗୁରୁବାର ଏଜେଣ୍ଟ ଓ ଜମାକାରୀମାନେ ଯୋଜନା କରି ପୁଣି ୨ ଲକ୍ଷ ଟଙ୍କା ଜମାକାରୀଙ୍କଠାରୁ ନେବାକୁ ଫୋନ କରି ଡାକିଥିଲେ। ସମ୍ପୃକ୍ତ ଯୁବକ ଜଣକ ଜୁନାଗଡ଼ରୁ ଏକ କାର୍ ଯୋଗେ କାଉଡଲା ଛକକୁ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଯୁବକ କାଉଡଲାରୁ ଜୁନାଗଡ଼ ପଟେ ଫେରାର ହେଉଥିଲେ। ଏ ନେଇ କୋକସରା ଥାନାକୁ ଜଣାଇବା ପରେ ପୋଲିସ କୋକସରାରୁ କାର ସହ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛି। ପରେ ଜମାକାରୀମାନେ କୋକସରା ଥାନାରେ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ମାମଲା (ନଂ. ୨୩୨/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି।