ଥାଣେ,୨।୧୦ : ମହାରାଷ୍ଟ୍ରର ଥାଣେରେ ଏକ ନକଲି କଲ ସେଣ୍ଟରର ପର୍ଦ୍ଦାଫାଶ କରାଯାଇଛି। ଏହି ଘଟଣାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ରବିବାର ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ କଲ ସେଣ୍ଟର ଆମେରିକୀୟ ନାଗରିକମାନଙ୍କୁ ଋଣ ଦେଇ ଠକିଥିବା ଅଭିଯୋଗ ହୋଇଛି।
ବରିଷ୍ଠ ପୋଲିସ ଇନ୍ସପେକ୍ଟର ଭି.ବି ମୁର୍ତାଦକ କହିଛନ୍ତି ଯେ ନକଲି କଲ ସେଣ୍ଟର ମାମଲାରେ ପୋଲିସ ଗୁପ୍ତ ତଥ୍ୟ ଆଧାରରେ ଚଢ଼ାଉ କରିଥିଲା। ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ଏକ ପୋଲିସ ଟିମ ଥାଣେର ୱାଗଲ ଇଷ୍ଟେଟ ଅଞ୍ଚଳରେ ଥିବା କଲ ସେଣ୍ଟରରେ ଚଢ଼ାଉ କରି ସେଠାରେ କାର୍ଯ୍ୟ କରୁଥିବା ତିନିଜଣ ମହିଳାଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରିଥିଲେ।
ଅଭିଯୁକ୍ତମାନେ କଲ ସେଣ୍ଟର ମାଧ୍ୟମରେ ଆମେରିକାର ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଋଣ ପ୍ରଦାନ କରୁଥିଲେ ବୋଲି ପୋଲିସ କହିଛି। ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପାଇବା ପରେ ଅଭିଯୁକ୍ତମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଉଥିଲେ। ଯୁକ୍ତରାଷ୍ଟ୍ରର ଏକ ସଂଯୋଜକ ଏଜେଣ୍ଟ ଟଙ୍କା ସଂଗ୍ରହ କରୁଥିଲେ ଏବଂ ଏଥିରୁ ଅଂଶ ଗ୍ରହଣ କରିବା ପରେ ଏହାକୁ ହାୱାଲା ମାଧ୍ୟମରେ ଭାରତକୁ ସ୍ଥାନାନ୍ତର କରୁଥିଲେ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କଲ ସେଣ୍ଟର ମାଲିକ ସିଦ୍ଧେଶ ସୁଧୀର ଭାଇଡକର ଏବଂ ସାନିଆ ରାକେଶ ଜୈସୱାଲ ଅଛନ୍ତି ବୋଲି ପୋଲିସ କହିଛି।