Categories: ଜାତୀୟ

ନକଲି ଡିଗ୍ରୀ ବିକ୍ରି ମାମଲା: ୧୭ ରାଜ୍ୟକୁ ଲମ୍ବିଛି ଚେର

ସୋଲାନ,୩୧।୧: ହିମାଚଳପ୍ରଦେଶର ସୋଲାନରେ ଥିବା ମାନବ ଭାରତୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ନକଲି ଡିଗ୍ରୀ ମାମଲା ନେଇ ୭୫ଟି ସ୍ଥାନରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। ୨୭୫ ଜଣଙ୍କୁ ଏନେଇ ପଚରାଉଚରା ମଧ୍ୟ ଜାରି ରହିଛି। ମୋଟ ୧୯୪ କୋଟି ୧୭ ଲକ୍ଷ ଟଙ୍କାର ନକଲି ଡିଗ୍ରୀ ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ଦୁର୍ନୀତିର ଚେର ଦେଶର ୧୭ଟି ରାଜ୍ୟକୁ ଲମ୍ବିଥିବା ତଦନ୍ତରୁ ଜଣାପଡ଼ିଛି। ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ମାନବ ଭାରତୀ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ରାଜକୁମାର ରାଣାଙ୍କୁ ଗିରଫ କରାଯାଇଛି। ବିଶ୍ୱ ବିଦ୍ୟାଳୟର ୪୧ ହଜାର ଶିକ୍ଷାର୍ଥୀଙ୍କ ମଧ୍ୟରେ ୮୦ ପ୍ରତିଶତରୁ ଅଧିକଙ୍କ ଡିଗ୍ରୀ ନକଲି ବୋଲି ଏସ୍‌ଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ଡିଜିପି ସଞ୍ଜୟ କୁଣ୍ଡୁ ଏବଂ ତାଙ୍କର ତଦନ୍ତକାରୀ ଦଳ ଏହି ମାମଲାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆଣିପାରିଛନ୍ତି। ଅଧ୍ୟକ୍ଷ ରାଜକୁମାର ମାତ୍ର ୧୧ ବର୍ଷ ମଧ୍ୟରେ ନକଲି ଡିଗ୍ରୀ କାରବାର କରି ୪୪୦ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ସ୍ଥାପନା ଏବଂ ନିୟାମକ ଅଧିନିୟମ ୨୦୦୯ ଅନୁସାରେ ଏହି ବିଶ୍ୱ ବିଦ୍ୟାଳୟ ଏବଂ ଚାରିଟେବୁଲ୍‌ ଟ୍ରଷ୍ଟ୍‌ର ସ୍ଥାପିତ ହୋଇଥିଲା।

Share