ନକଲି ଡାକ୍ତର ଗିରଫ

ଲାଠୋର, ୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଆରକ୍ଷୀ ଅଧୀକ୍ଷକ ଋଷିକେଷ ଖିଲାରିଙ୍କ ନିର୍ଦ୍ଦେଶ କ୍ରମେ ଲାଠୋର ଥାନା ଅଧୀନ ବେନ୍ଦେର ଗ୍ରାମରୁ ଲାଠୋର ପୋଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି। ପୋଲିସ କ୍ଳିନିକରୁ ବିପୁଳ ପରିମାଣରେ ଔଷଧ ଜବତ କରିଛି। ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ଗେବୋରଦନଗା ଅଞ୍ଚଳର ସୁବୋଜିତ ମଜୁମଦାର। ତାଙ୍କ ପାଖରେ କୌଣସି ଡ଼ାକ୍ତରୀ ଡ଼ିଗ୍ରୀ କିମ୍ବା ଲାଇସେନ୍ସ ନ ଥାଇ ସେ ଗତ ୮ ବର୍ଷ ହେଲା ଲାଠୋର ଥାନା ବେନ୍ଦେର ଗ୍ରାମର ତୁଲାରାମ ମାଝିଙ୍କ ଘର ଭଡ଼ା ନେଇ ଏକ କ୍ଳିନିକ ଖୋଲିଥିଲେ।

ଲୋକଙ୍କ ଅଭିଯୋଗ ଏବଂ ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ ଲାଠୋର ଥାନା ଆଇଆଇସି ଏକ ଟିମ୍‌ ଗଠନ କରି ବେନ୍ଦେରସ୍ଥିତ ସୁବୋଜିତଙ୍କ ବେଆଇନ କ୍ଳନିକ ଉପରେ ଚଢାଉ କରିଥିଲେ। ମାଜିଷ୍ଟ୍ରେଟଭାବେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର ଉପସ୍ଥିତ ଥିଲେ। ତାଙ୍କ ଉପସ୍ଥିତିରେ ପୋଲିସ ବିପୁଳ ପରିମାଣରେ ବିଭିନ୍ନ ପ୍ରକାର ଔଷଧ, ଇଞ୍ଜେକସନ ଏବଂ ଭିଟାମିନ ସିରପ ଆଦି ଜବତ କରିବା ସହ କ୍ଳିନିକକୁ ସିଲ୍‌ କରିଥିଲେ। ପରେ ଥାନାକୁ ଆଣି ଅଧିକ ତଦନ୍ତ ପରେ ସୁବୋଜିତଙ୍କ ବିରୋଧରେ ଲାଠୋର ଥାନାରେ ଦଫା ୪୧୯,୪୨୦ରେ ଏକ ମାମଲା(୮୦/୨୩) ରୁଜୁ କରି ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଝସକେତନ ଭୋଇ କହିଛନ୍ତି।

Share