ଶିଶୁ ବିଶେଷଜ୍ଞ ବୋଲାଉଥିବା ନକଲି ଡାକ୍ତର ଗିରଫ

ଝାରସୁଗୁଡ଼ା ଅଫିସ,୨୩ା୫: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳରୁ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିିଛି। ସେ ହେଲେ ଛତିଶଗଡ଼ ଦୁର୍ଗ ଜିଲା ଭଂସୁଲିର ରମେଶ କୁମାର ସାହୁ(୪୫)। ଏ ନେଇ ବେଲପାହାଡ଼ ଥାନା ପୋଲିସ ନଂ.୯୭/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପୋଲିସ କେତେକ ନକଲି ସାର୍ଟିଫିକେଟ୍‌, ପ୍ରେସ୍‌କ୍ରିପ୍‌ଶନ୍‌ ପ୍ୟାଡ୍‌, ସାଇନ୍‌ବୋର୍ଡ ଓ ମେଡିସିନ୍‌ ଜବତ କରିଛି। ଏ ସମ୍ପର୍କରେ ଏସ୍‌ଡିପିଓ ଦିଲୀପ ଦାସ ଓ ଆଇଆଇସି ରଞ୍ଜନ ବିଶ୍ୱାଳ ବେଲପାହାଡ଼ ଥାନାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ରମେଶ ବେଲପାହାଡ଼ ଷ୍ଟେଶନପଡ଼ାରେ ଏକ କ୍ଲିନିକ୍‌ କରି ନିଜକୁ ଜଣେ ଏମ୍‌ବିବିଏସ୍‌ ଶିଶୁରୋଗ ବିଶେଷଜ୍ଞ ବୋଲି କହି ରୋଗୀଙ୍କୁ ଚିକିତ୍ସା କରୁଥିଲେ । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କ୍ଲିନିକ୍‌ ଉପରେ ଚଢ଼ାଉ କରି କେତେକ କାଗଜପତ୍ର ଜବତ କରିଥିଲା। ଏହିସବୁ କାଗଜପତ୍ର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଯାଞ୍ଚ ପରେ ଏସବୁ ନକଲି ବୋଲି ଜଣାପଡିଥିଲା। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ରମେଶ ଗତ ୨ବର୍ଷ ହେଲା ବେଲପାହାଡ଼ରେ ରହି ବିଭିନ୍ନ ମେଡିସିନ୍‌ ଦୋକାନ ଓ କ୍ଲିନିକ୍‌ରେ ରୋଗୀ ଚିକିତ୍ସା କରୁଥିଲେ  ।

Share