ନକଲି ଡାକ୍ତର ଚିହ୍ନଟ ମାମଲା: ହାଜର ହେଲେ ଓସିଏମ୍‌ଆର୍‌ ଅଧ୍ୟକ୍ଷ

କଟକ,୫ା୩ (କାର୍ତ୍ତିକ ସାହୁ) ରାଜ୍ୟରେ ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା କାଉନ୍‌ସିଲ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍‌ଆର) ଅଧ୍ୟକ୍ଷ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ନକଲି ଡାକ୍ତରଙ୍କୁ କିପରି ନିୟନ୍ତ୍ରଣ କରିହେବ ସେନେଇ ସବିଶେଷ ତଥ୍ୟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧର ଶରଣ ସିଂହ ଓ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ନିମନ୍ତେ ମାର୍ଚ୍ଚ ୨୭କୁ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ ନେଇ ଏକ ମାମଲା ହାଇକୋର୍ଟରେ ରୁଜୁ କରାଯାଇଛି। ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ ରୁଜୁ ମାମଲାରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି, ନକଲି ଡାକ୍ତର ଯାଞ୍ଚ ଲାଗି କୌଣସି ବ୍ୟବସ୍ଥା ରହିଛି କି ନାହିଁ ସେ ବାବଦରେ ସତ୍ୟପାଠ ଦାଖଲ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ସତ୍ୟପାଠ ପୂର୍ବରୁ ଦାଖଲ କରାଯାଇଥିଲା। ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ଆବେଦନକାରୀଙ୍କୁ ପ୍ରତି ଜବାବ ଦାଖଲ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଫେବୃୟାରୀ ୨୭ ତାରିଖ ଶୁଣାଣିରେ ଓଡ଼ିଶା କାଉନ୍‌ସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନର ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜାଲ ଡାକ୍ତର ନିଯୁକ୍ତି ରୋକିବା କ୍ଷେତ୍ରରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share