ସତ ନୁହେଁ, କେବଳ ଟିଆର୍‌ପି ପାଇଁ ପ୍ରେମର ମିଛ ଡ୍ରାମା: ନେହା-ଆଦିତ୍ୟଙ୍କ ପରେ ଏବେ ପବନଦୀପ-ଅରୁଣୀତା…

ବମ୍ବେ: ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ରିଆଲିଟି ଶୋ’କୁ ଅଧିକ ପସନ୍ଦ କରିଥାନ୍ତି ଦର୍ଶକ। ବାସ୍ତବ ଘଟଣାକ୍ରମ ଉପରେ ଆଧାରିତ ଭାବି ଶୋ’ରେ ଦେଖାଯାଉଥିବା ସବୁକିଛିକୁ ସେମାନେ ସତ ଭାବିଥାନ୍ତି। ହେଲେ ତାହା ସମ୍ପୂର୍ଣ୍ଣ ଓଲଟା। ଅନେକ ସମୟରେ ଶୋ’ର ଟିଆର୍‌ପି ବୃଦ୍ଧିପାଇଁ ମିଛର ସାହାରା ନେଇଥାନ୍ତି ନିର୍ମାତା।

ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ମ୍ୟୁଜିକ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ପୁଣିଥରେ ସେଭଳି କିଛି ଦେଖିବାକୁ ମିଳିଛି। ବିଗତ ଦିନରେ ଶୋ’ରେ ଆଙ୍କର୍‌(ଉଦ୍‌ଘୋଷକ) ଥିବା ଆଦିତ୍ୟ ନାରାୟଣ ଏବଂ ବିଚାରପତି ଥିବା ନେହା କକ୍କଡଙ୍କ ମଧ୍ୟରେ ମିଛ ପ୍ରେମ ଏବଂ ବିବାହ ହେବା ଭଳି ନାଟକ ଦେଖିବାକୁ ମିଳିଥିଲା। ସେତେବେଳେ ଏହାକୁ ଅନେକ ସତ ବୋଲି ଭାବିଥିଲେ। ହେଲେ ଏହା କେବଳ ଟିଆର୍‌ପି ପାଇଁ କରାଯାଇଥିବା ଜଣାପଡ଼ିଥିଲା। ଏବେ ଗାୟକ ପବନଦୀପ ଏବଂ ଅରୁଣୀତାଙ୍କ ମଧ୍ୟରେ ନଜର ଆସୁଥିବା ରୋମାନ୍ସ ମିଛ ବୋଲି ସ୍ପଷ୍ଟ ହୋଇଛି। କାରଣ ହୋଷ୍ଟ ଆଦିତ୍ୟ ଏକ ସାକ୍ଷାତକାରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଭଳି କରାଯାଉଥିବା କହିଛନ୍ତି। ତେବେ ଆସନ୍ତୁ ଏହିଭଳି ଟେଲିଭିଜନରେ ଦେଖାଯାଇଥିବା କିଛି ପ୍ରେମ କାହାଣୀ ବିଷୟରେ ଜାଣିବା।

-ସାରା ଅଲ୍ଲି ଖାନ- ଅଲି ମର୍ଚାଣ୍ଟ: ବିଗ୍‌ବସ୍‌ରେ ଉଭୟଙ୍କ ବିବାହ ହୋଇଥିବା ଦେଖିବାକୁ ମିଳିଥିଲା। ସେତେବେଳେ ଉଭୟ ପରସ୍ପର ସହ ଦୀର୍ଘ ଦିନର ସମ୍ପର୍କ ଥିବା କଥା କହିଥିଲେ। ପରେ ଶୋ’ରେ ଥିବା ବେଳେ ପରିବାରଲୋକଙ୍କ ଉପସ୍ଥିତିରେ ସେମାନେ ବିବାହ କରିଥିଲେ। ହେଲେ ଶୋ’ ଶେଷ ହେବା ପରେ ସେମାନେ ଅଲଗା ହୋଇଯାଇଥିଲେ।

-କରନ୍‌ ପଟେଲ-ଅମିତା ଚାନ୍ଦେକର: ନଚ୍‌ ବଲିୟେ-୩ ସମୟେରେ ଏହି ଯୋଡ଼ି ଚର୍ଚ୍ଚାରେ ରହିଥିଲା। କରନ୍‌ଙ୍କ ପାର୍ଟନର ଥିଲେ ଅମିତା। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଥିଲା। ହେଲେ ଶୋ’ରୁ ବାହାରିବା ପରେ ସେମାନେ ଅଲଗା ହୋଇଯାଇଥିଲେ। ପରେ ଅମିତା କେବେହେଲେ ତାଙ୍କର ପ୍ରେମିକା ନ ଥିବା କରନ୍‌ କହିଥିଲେ।

-ରାକ୍ଷୀ ସାଓ୍ବନ୍ତ-ଇଲେଶ: ରାକ୍ଷୀ କେ ସ୍ବୟଂମ୍ବର ନାମରେ ପ୍ରସାରିତ ରିଆଲିଟି ଶୋ’ରେ ଅଭିନେତ୍ରୀ ଇଲେଶ ନାମରେ ଜଣେ ବ୍ୟକ୍ତିଙ୍କ ସହ ନିର୍ବନ୍ଧ କରିଥିଲେ। ପ୍ରଥମେ ସେ ଚୟନ କରିଥିବା ଯୁବକଙ୍କୁ ସେ ବିବାହ କରିବେ ବୋଲି କୁହାଯାଇଥିଲେ ହେଁ ସେଭଳି ହୋଇ ନ ଥିଲା। କାରଣ ପରେ ଉଭୟ ନିର୍ବନ୍ଧ ଭାଙ୍ଗି ଦେଇଥିଲେ।

Share