ଚିଠି ଲେଖି ହତ୍ୟା ଧମକ ଦେଉଥିଲେ ନକଲି ମାଓବାଦୀ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଜଣେ ନକଲି ମାଓବାଦୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବରଗଡ ଜିଲା ବିଜେପୁର ତାଳପଦର ଗ୍ରାମର ଯୁଧିଷ୍ଠିର ପ୍ରଧାନ(୩୬)। ତାଙ୍କ ନିକଟରୁ ପୋଲିସ ୨ମୋବାଇଲ୍‌, ୨ସିମ୍‌, ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବେଦାନ୍ତ କମ୍ପାନୀର ଗେଟ୍‌ପାସ୍‌, ହେମନ୍ତ ଚୌଧୁରୀଙ୍କ ନାମରେ ଏକ ଆଧାରକାର୍ଡ, ନିଜ ହାତଲେଖା ଡାଏରି, ଓ୍ବେଷ୍ଟର୍ନ ଓଡିଶା ମାଓଇଷ୍ଟ୍‌ ଅର୍ଗାନାଇଜେଶନ୍‌ ନାମରେ କେତେକ ହିନ୍ଦୀ ଲେଖା, ଧମକ୍‌ପୂର୍ଣ୍ଣ ପତ୍ର ଆଦି ଜବତ ହୋଇଛି। ଏ ନେଇ ପୋଲିସ ବଡମାଲ ଥାନା (କେସ୍‌ ନଂ୧୭୫/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ବେଦାନ୍ତ କମ୍ପାନୀରେ ନିୟୋଜିତ ହୋଇଥିବା ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ କାର୍ଯ୍ୟରତ ସାଇଡ୍‌ ଇନ୍‌ଚାର୍ଜ ଅବୁତର ଖାନ୍‌(୩୯)ଙ୍କ ନିକଟରେ ଏକ ରେଜେଷ୍ଟି ଚିଠି ପହଞ୍ଚତ୍ଥିଲା। ଏଥିରେ ଓ୍ବେଷ୍ଟର୍ନ ଓଡ଼ିଶା ମାଓଇଷ୍ଟ୍‌ ଅର୍ଗାନାଇଜେଶନ୍‌ ଉଲ୍ଲେଖ ରହିଥିବାବେଳେ ସିମେନ୍‌ ଇଣ୍ଡିଆ କମ୍ପାନୀରେ କାମ କରୁଥିବା ପଶ୍ଚିମ ଓଡ଼ିଶାର କର୍ମଚାରୀମାନଙ୍କ ଦରମା ବୃଦ୍ଧି ଆଦି ସୁବିଧା ଯୋଗାଇ ଦିଆଯାଉ। ନଚେତ୍‌ ଜୀବନରୁ ମାରିଦେବା ପାଇଁ ଧମକପୂର୍ଣ୍ଣ ଲେଖା ରହିଥିଲା। ଏହାଛଡା ବିଭିନ୍ନ ସମୟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ମୋବାଇଲ୍‌ରେ ଧମକ୍‌ ଦେଉଥିଲେ। କର୍ମଚାରୀ ଅବୁତର ଏଥିରେ ଭୟଭୀତ ହୋଇ ନିଜ ଗ୍ରାମକୁ ଚାଲିଯାଇଥିଲେ।

ସେହିପରି ସିମେନ୍ସ ଇଣ୍ଡିଆ କମ୍ପାନୀର ଏଚ୍‌ଆର୍‌ ମୁଖ୍ୟ ରଣଜିତ ମହାପାତ୍ରଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ନିଜକୁ ପଶ୍ଚିମ ଓଡ଼ିଶା ଲାଲ୍‌ବାହିନୀ ମାଓଇଷ୍ଟ ଚିଫ୍‌ ଡିସି ମୁଗୁନ୍‌ କୋଡ୍‌ ଓଆର୍‌ଏଲ୍‌ଟିଟି/୦୨୧୧(ସ୍ଲୋଗାନ ଲାଲ୍‌ ସଲାମ୍‌) ରହିଥିଲା। ଦାବି ପୂରଣ ନ କଲେ ଝାରସୁଗୁଡା ଛାଡି ଚାଲିଯାଅ ନ ହେଲେ ତୁମର କଟାମୁଣ୍ଡ ଜଙ୍ଗଲରେ ମିଳିବ ବୋଲିି ଧମକ୍‌ ଦେଉଥିଲେ। ପୋଲିସ୍‌ ତଦନ୍ତକରି ସମ୍ପୃକ୍ତ ଯୁବକଙ୍କୁ ଗିରଫକରି ତାଙ୍କ ନିକଟରୁ କେତେକ ଚିଠି ଜବତ କରିଛି। ଜବତ ଚିଠି ତାଙ୍କ ହାତଲେଖା କି ନାହିଁ ଜାଣିବାକୁ ଭୁବନେଶ୍ୱର ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ପି ଦାସ କହିଛନ୍ତି। ଗିରଫ ଅଭିଯୁକ୍ତ ଯୁଧିଷ୍ଠିର ସିମେନ୍ସ କମ୍ପାନୀରେ ଫିଟର୍‌ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି।

Share