ରାଜଧାନୀରୁ ନକଲି ଏନ୍‌ସିଇଆର୍‌ଟି ବହି ଜବତ

ଭୁବନେଶ୍ୱର,୫ା୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ନକଲି ଏନ୍‌ସିଇଆର୍‌ଟି ବହି ବିକ୍ରି କରୁଥିବା ବୁକ୍‌ ଷ୍ଟୋର ଠାବ ହୋଇଛି। ଏନ୍‌ସିଇଆର୍‌ଟିର ୨ଜଣିଆ ଟିମ୍‌ ଭୁବନେଶ୍ୱର ପୋଲିସ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦୦ରୁ ଅଧିକ ନକଲି ବହି, ଗୋଟିଏ ଅଟୋରିକ୍ସା ଜବତ କରିଛି। ଏଥିସହ ୪ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଜବତ ବହିଗୁଡ଼ିକର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜବତ ବହିରେ ୱାଟର ମାର୍କ ନ ଥିବା ସହ ପେପର କ୍ୱାଲିଟି ଖରାପ ଥିବା ମଧ୍ୟ ଜଣାପଡ଼ିଛି। ତେବେ ଏହି ବହି କେଉଁଠି ଛପାଯାଉଥିଲା ତାହା ଏଯାବତ୍‌ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ ଓଡ଼ିଶା ବଜାରରେ ଏନ୍‌ସିଇଆର୍‌ଟି ବହି କମ୍‌ ବିକ୍ରି ହେଉଥିଲା। ଏହାର କାରଣ ଜାଣିବା ପାଇଁ କୋଲ୍‌କାତାରୁ ଏନ୍‌ସିଇଆର୍‌ଟିର ଏକ ଟିମ୍‌ ଭୁବନେଶ୍ୱର ଆସି ବିଭିନ୍ନ ବୁକ୍‌ ଷ୍ଟୋରରେ ଗ୍ରାହକ ହିସାବରେ ପଚାରି ବୁଝିବା ସହ ବହି ଦେଖିଥିଲେ। ହେଲେ ବହିରେ ୱାର୍ଟର ମାର୍କ ନ ଥିବା ସହ ପେପର କ୍ୱାଲଟି କମ୍‌ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଏନ୍‌ସିଇଆର୍‌ଟି ଟିମ୍‌ର ଅଧିକାରୀ କମିଶନରେଟ ପୋଲିସକୁ ଖବର ଦେଇଥିଲେ। ଘଟଣାକୁ ଗୁରୁତର ସହ ନେଇ ଡିସିପି ପ୍ରତୀକ ସିଂ ଓ ଖାରବେଳନଗର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର, କେତେଜଣ ପୋଲିସ ଅଧିକାରୀ ଏବଂ ଏନ୍‌ସିଇଆର୍‌ଟି ମିଳିତ ଭାବେ ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନଠାରେ ଥିବା ବିଦ୍ୟାର୍ଥୀ ବୁକ୍‌ ଷ୍ଟୋରରେ ପ୍ରଥମେ ଚଢ଼ାଉ କରିଥିଲେ। ସେଠାରେ ଯାଞ୍ଚବେଳେ ସ୍ବଳ୍ପ ପରିମାଣ ନକଲି ବହି ଜବତ ହୋଇଥିଲା। ତେବେ ଉକ୍ତ ବହି ଦୋକାନରେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବାରୁ ଏହି ବହିଗୁଡ଼ିକ ସେମାନେ ୟୁନିଟ୍‌-୯ ଠାରେ ଥିବା ମା’ ମଙ୍ଗଳା ବୁକ୍‌ ଷ୍ଟୋରରୁ ଆଣିଥିବା ଦର୍ଶାଇଥିଲେ। ଉକ୍ତ ତଥ୍ୟ ଆଧାରରେ ପୋଲିସ ଟିମ୍‌ ମା’ ମଙ୍ଗଳା ବୁକ୍‌ ଷ୍ଟୋରରେ ଚଢ଼ାଉ କରିଥିଲେ। ସେଠାରୁ ଯାଞ୍ଚବେଳେ ୩୦୦ ନକଲି ବହି, ଗୋଟିଏ ଅଟୋରିକ୍ସା ଜବତ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ରବି ଟକିଜ୍‌ ଛକରେ ଥିବା ଶୁଭମ ବୁକ୍‌ ଷ୍ଟୋରରେ ନକଲି ବହି ସବୁ ଉପଲବ୍ଧ ଥିବା ପୋଲିସ ଟିମ୍‌ ଜାଣିବାକୁ ପାଇଥିଲେ। ପରେ ଟିମ୍‌ ଶୁଭମ୍‌ ବୁକ୍‌ ଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ଏନ୍‌ସିଇଆର୍‌ଟି ପରିଚାଳିତ ନକଲି ବହିଗୁଡ଼ିକୁ ଜବତ କରାଯିବା ସହ ଆଉ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି।