ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ

ବ୍ରହ୍ମପୁର ଅଫିସ,୨୨।୨: ଗଞ୍ଜାମ ଜିଲା ଦିଗପହଣ୍ଡିରେ ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ଏହି ନକଲି କାର୍ଯ୍ୟାଳୟକୁ ଠାବ କରିଛନ୍ତି। ସେଠାରୁ ବିପୁଳ ପରିମାଣର ସରକାରୀ ଶ୍ରମିକ ଆବେଦନ ଫର୍ମ ଜବତ ହୋଇଛି। ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳର ପ୍ରାୟ ହଜାର ଜଣ ଲୋକଙ୍କ ନାମରେ ଶ୍ରମିକ କାର୍ଡ କରାଇ ଦେବାକୁ କହି ଏହି କାର୍ଯ୍ୟାଳୟର କର୍ମଚାରୀମାନେ ୩ ଶହରୁ ୪ ଶହ ଲେଖାଏ ଟଙ୍କା ଆଦାୟ କରିଥିବ ଜିଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ସୂଚନା ଦେଇଛନ୍ତି। ଏହି ନକଲି କାର୍ଯ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ବୋଲି ଲେଖା ହୋଇଛି। ପୁଞ୍ଜିକୟାଁ ଛକରେ ବ୍ରାଞ୍ଚ ଅଫିସ ଖୋଲି ଲୋକଙ୍କୁ ମେମ୍ବରଶିପ କରାଇଦେବାକୁ ଟଙ୍କା ଆଦାୟ ସହ ଏହା ବଦଳରେ ରସିଦ ମଧ୍ୟ ଦିଆଯାଇଛି। ସେହିପରି ପୋଲିସ ୪୧/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।