ମହଙ୍ଗା ପଡ଼ିଲା ନକଲି ଜାତିଗତ ପ୍ରମାଣପତ୍ର :୨୫ ବର୍ଷ ଚାକିରି କରିବା ପରେ ମହିଳା କିରାଣି ବହିଷ୍କୃତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଜାଲ ପ୍ରମାଣପତ୍ର ଜରିଆରେ ଦୀର୍ଘ ୨୫ ବର୍ଷ ଚାକିରି କରିବା ପରେ ଜଣେ ବରିଷ୍ଠ ମହିଳା କିରାଣି ଚାକିରିରୁ ବହିଷ୍କୃତ ହେବା ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡିର ଲକ୍ଷ୍ମୀପ୍ରିୟା ବେହେରା ୧୯୯୬ରେ ମାଲକାନଗିରି ଜିଲାରେ କିରାଣି ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ବର୍ଷ ଚାକିରି ସମୟରେ ସେ ପଦୋନ୍ନତି ମଧ୍ୟ ପାଇଥିଲେ। ତେବେ ନିଯୁକ୍ତି ସମୟରେ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ର ସନ୍ଦେହ କରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ନିକଟରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏହାର ତଦନ୍ତ କରାଯାଇ ଲକ୍ଷ୍ମୀପ୍ରିୟା ଏସ୍‌ସିବିସି ବର୍ଗର ହୋଇଥିବା ବେଳେ ଜଣେ ଏସ୍‌ଟିଙ୍କୁ ବିବାହ କରି ନିଜ ଜାତିକୁ ଲୁଚାଇ ସେ ସ୍ବାମୀଙ୍କ ଜାତି ଆଧାରରେ ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତତ୍‌କାଳୀନ ଜୁନାଗଡ଼ ତହସିଲଦାର ବିନା ଯାଞ୍ଚରେ ତାଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଆଧାରରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। ଏ ନେଇ ମାଲକାନଗିରି ଜିଲାପାଳ ଜାଣିଲା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ଦୀର୍ଘ ୨୫ ବର୍ଷ ଧରି ସେ ନେଇଥିବା ସରକାରୀ ଦରମା ଓ ଅନ୍ୟାନ୍ୟ ଅର୍ଥକୁ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଲକ୍ଷ୍ମୀପ୍ରିୟା ଛୁଟିରେ ଥିବାରୁ ଏହି ବରଖାସ୍ତ ନିର୍ଦ୍ଦେଶନାମା ତାଙ୍କ ସରକାରୀ ବାସଭବନର କାନ୍ଥରେ ମରାଯାଇଛି। ଲକ୍ଷ୍ମୀପ୍ରିୟାଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ।