ନକଲି ଶିକ୍ଷକ ନିଲମ୍ବିତ

ରସୁଲପୁର,୨୫।୯(ଡି.ଏନ.ଏ.):ରସୁଲପୁର ଶିକ୍ଷାମଣ୍ଡଳ ଅଧୀନ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ଭୂଷଣ ଶରଣଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ସୁଦର୍ଶନ ମଲ୍ଲିକ ଚାକିରିରୁ ନିଲମ୍ବିତ କରିଛନ୍ତି। ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୧୦୧୦/୨୪/୦୯/୨୦୨୧ରେ ନିଲମ୍ବନ ଆଦେଶ ଦିଆଯାଇଛି। ତାଙ୍କୁ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟ ବଦଳରେ ବାରବାଟୀ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନ ବାରବାଟୀ ୟୁଜିଏମଇରେ କର୍ତ୍ତବ୍ୟ ବିରତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ତାଙ୍କ ନାମରେ ଥାନାରେ ଏତଲା ଦିଆଯିବା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁଆଖିଆ ଥାନା ଅଧିକାରୀ ମନୋଜ ସ୍ବାଇଁଙ୍କ ସହ ବିଚାରବିମର୍ଶ କରାଯାଇଛି। ଶନିବାର ଥାନାରେ ଅଭିଯୋଗ କରାଯିବ ବୋଲି ଥାନା ଅଧିକାରୀ ସ୍ବାଇଁଙ୍କଠାରୁ ସୂଚନା ମିଳିଛି। ବିସ୍ତୃତ ତଥ୍ୟ ହାସଲ ନିମନ୍ତେ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।
ସମ୍ପୃକ୍ତ ଶିକ୍ଷକ ଜାଲ ସାର୍ଟିଫିକେଟ ପ୍ରଦାନ କରି ୩ବର୍ଷରୁ ଊର୍ଦ୍ଧ୍ୱ ହେବ ଚାକିରି କରି ଆସୁଥିଲେ। ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାଲ ପ୍ରମାଣପତ୍ର ଧରାପଡ଼ିବାରୁ ସତ ପଦାକୁ ଆସିଥିଲା। ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ତଦନ୍ତ କରାଯାଉଥିଲା। ତଦନ୍ତ ବେଳେ ଶିକ୍ଷାଧିକାରୀଙ୍କ ହାତରେ ଶିକ୍ଷକଙ୍କ ଦୁଇଟି ପ୍ରମାଣପତ୍ର ଲାଗିଥିଲା। ଏହାକୁ ନେଇ ତଦନ୍ତ ଅଧିକାରୀ ଦ୍ୱନ୍ଦରେ ପଡ଼ିଥିଲେ। ସ୍ପଷ୍ଟଚିତ୍ର ପଦାକୁ ଆଣିବା ନିମନ୍ତେ ବିଇଓ ପ୍ରମାଣପତ୍ର ପ୍ରଦାନ କରିଥିବା ଅନୁଷ୍ଠାନକୁ ସ୍ପଷ୍ଟୀକରଣ ମାଗିଥିଲେ। ବିଭାଗ ପକ୍ଷରୁ ଦିଆଯାଥିବା ସ୍ପଷ୍ଟୀକରଣରେ ଶିକ୍ଷକଙ୍କ ପ୍ରମାଣପତ୍ର ଜାଲ ବୋଲି ଦର୍ଶାଯାଇଥିଲା। ଏହି ଆଧାରରେ ଶିକ୍ଷକ ଶରଣଙ୍କୁ ନିଲମ୍ବିତ କରାଯାଇଛି।