ବିଇଏମ୍‌ସି କମିଶନରଙ୍କ ନାଁରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୨୮ା୧: ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲଙ୍କ ନାଁରେ ପୁଣିଥରେ ନକଲି ୱାଟସଆପ ଆକାଉଣ୍ଟ ଖୋଲାଯାଇ ତାଙ୍କ ସମ୍ପର୍କୀୟ ଓ ମହାନଗର ନିଗମ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ଆର୍ଥିକ ସହାୟତା ମଗାଯାଉଛି। ପୂର୍ବରୁ ମଧ୍ୟ କମିଶନରଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି କିଛି କଣ୍ଟ୍ରାକ୍ଟରଙ୍କୁ ଟଙ୍କା ମଗାଯାଇଥିଲା। ବର୍ତ୍ତମାନ ସାଇବର ଠକମାନେ ତାଙ୍କ ନାମରେ ପୁଣି ନକଲି ଆକାଉଣ୍ଟ ଖୋଲି ମହାନଗର ନିଗମର କର୍ମଚାରୀ ଓ ଲୋକଙ୍କୁ ଟାର୍ଗେଟ କରିଛନ୍ତି। ବିଇଏମ୍‌ସି କମିଶନର ଜେ. ସୋନାଲଙ୍କ ନାଁରେ ୮୪୪୦୮୬୮୪୫୬୫ ମୋବାଇଲ ନମ୍ବରରେ ଏକ ହ୍ବାଟ୍ସଆପ ଆକାଉଣ୍ଟ ଖୋଲାଯାଇଛି। ସେଥିରେ କମିଶନରଙ୍କ ପ୍ରକୃତ ଫଟୋ ଲଗାଯାଇଛି। ଜଣେ କର୍ମଚାରୀଙ୍କୁ ଉକ୍ତ ନମ୍ବରରୁ ତୁମର ଆମାଜନ-ପେ ଅଛିକି ବୋଲି ମେସେଜ ଆସିଥିଲା। କର୍ମଚାରୀ ଜଣଙ୍କ ନାହିଁ ବୋଲି ଉତ୍ତର ଦେବାରୁ ଠକ ଚୁପ ହୋଇଯାଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ କମିଶନର ପୋଲିସକୁ ସୂଚନା ଦେବା ସହ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share