ନକଲି ପୂଜା ସାମଗ୍ରୀ ତିଆରି କାରଖାନା ଠାବ: ବିପୁଳ ପରିମାଣର ଜିନିଷ ଜବତ, ମାଲିକ ଗିରଫ

କଟକ ଅଫିସ,୧୩ା୯: ମାଲଗୋଦାମ ଥାନା ଅଧୀନ ରାଣୀହାଟ କେନାଲରୋଡ ଚମଡା ଗୋଦାମ ଗଳିରେ ଥିବା ନକଲି ପୂଜା ସାମଗ୍ରୀ ତିଆରି କାରଖାନାକୁ ଶନିବାର ପୋଲିସ ଠାବ କରିଛି। ସେଠାରେ ଥିବା ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ କାରଖାନା ମାଲିକ ଚଣ୍ଡୀ ରାଓଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଶନିବାର ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚଣ୍ଡୀ ନକଲି ପୂଜା ସାମଗ୍ରୀ ତିଆରି କରି ସହର ସମେତ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ଏହି ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ପାଇଁ ଅଭିଯୁକ୍ତଙ୍କ ପାଖରେ କୌଣସି ପଞ୍ଜୀକରଣ ବା ଟ୍ରେଡ୍‌ ଲାଇସେନ୍ସ ନ ଥିଲା। ଏହା ଜଣାପଡିବା ପରେ ଶନିବାର ମଧ୍ୟାହ୍ନରେ ଉକ୍ତ କାରଖାନାରେ ପୋଲିସ ଚଢାଉ କରି ପ୍ରାୟ ୧୮୦ ବୋତଲ ଗଙ୍ଗାଜଳ, ୩୪୫୬ ବୋତଲ ଗୋଲାପ ଜଳ, ୧୧୯୬ ବୋତଲ ମହୁ, ୪୮୦ ବୋତଲ ସପ୍ତତୀର୍ଥ ପଞ୍ଚଜଳ, ୧୫୦୩ ବୋତଲ ଅଗୁର, ୨୦୧୯ଟି ଖାଲି ବୋତଲ, ୫୦ ଓ ୧୦୦ ଲିଟର ବିଶିଷ୍ଟ ଦୁଇଟି ବଡ ଜାର, ରୋଷେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ୧୦୦ ଲିଟର ବିଶିଷ୍ଟ ଗୋଟିଏ ହଣ୍ଡା ଓ ଗୋଟିଏ ଗ୍ୟାସ ଚୁଲା ଜବତ କରିଛି। ଏ ନେଇ ପୋଲିସ ଆଇପିସିର ଦଫା ୪୨୦, ୨୭୨, ୨୭୩, ୪୮୨ ଅନୁଯାୟୀ ଏକ ମାମଲା(ନଂ.୧୭୫/୨୦) ରୁଜୁ କରିଛି।

Share