ଭୁବନେଶ୍ୱର, ୨୦।୧୦:କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୨୪୮ (୨୪୭.୭୮) ପଏଣ୍ଟ ଖସି ୬୫,୬୨୯ (୬୫,୬୨୯.୨୪) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ ରେ ମଧ୍ୟ ୪୬ (୪୬.୪୦) ପଏଣ୍ଟ ହ୍ରାସ ଘଟି ୧୯,୬୨୫ (୧୯,୬୨୪.୭୦) ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସର ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଶେୟାରଗୁଡିକର ଇଣ୍ଡେକ୍ସ ସହ ଏନ୍ଏସ୍ଇ ନିଫ୍ଟି ମିଡକ୍ୟାପ, ସ୍ମଲ କ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ମଧ୍ୟ ପରିବର୍ତ୍ତନ ଘଟିଥିଲା। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ହ୍ରାସ ଘଟିଛି।