ନୂଆଦିଲ୍ଲୀ,୩୧ା୧୨: ଦିନକ ପରେ ପୁଣି ଥରେ ଷ୍ଟକ୍ ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ଷ୍ଟକ୍ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୨୯୩ (୨୯୩.୧୪) ପଏଣ୍ଟ ଖସି ୬୦,୮୪୧ (୬୦,୮୪୦.୭୪) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୮୬ (୮୫.୭୦) ପଏଣ୍ଟ ହ୍ରାସ ଘଟି ୧୮,୧୦୫ (୧୮,୧୦୫.୩୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବିଏସଇରେ ପଞ୍ଜୀକୃତ ସମସ୍ତ ନିବେଶକ କମ୍ପାନୀର ବଜାର ପୁଞ୍ଜି ୧୬.୪୩ ଲକ୍ଷ କୋଟି ହ୍ରାସ ଘଟି ୨୮୨.୪୪ ଲକ୍ଷ କୋଟିରେ ରହିଛି। ସୂଚନାଯୋଗ୍ୟ , ଚଳିତ ବର୍ଷରେ ଏହା ଶେଷ କାର୍ଯ୍ୟ ଦିବସ ହୋଇଥିବା ବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି।